Categories: ଖେଳ

କ୍ରିକେଟରେ ସବୁଠୁ ଦୁଃଖଦ ଦିନ: ସମଗ୍ର କ୍ରିକେଟ ଜଗତ ଶୋକରେ ଯାଇଥିଲା ବୁଡି

ସିଡନୀ,୨୭।୧୧:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ୬ ବର୍ଷ ପୂର୍ବେ ଆଜିର ଦିନରେ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ ଫିଲ ହ୍ୟୁଜ ଜୀବନର ଯୁଦ୍ଧରେ ହାରି ଯାଇଥିଲେ। ୨୦୧୪, ନଭେମ୍ବର ୨୭ରେ ଏହି ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ଅକାଳ ମତ୍ୟୁରେ ସମଗ୍ର କ୍ରିକେଟ ଜଗତ ଶୋକରେ ବୁଡ଼ି ଯାଇଥିଲା। ସିଡନୀରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ ସମୟରେ ଆହତ ହୋଇଥିବା ହ୍ୟୁଜ୍‌ ତାଙ୍କର ୨୬ତମ ଜନ୍ମଦିନର ତିନି ଦିନ ପୂର୍ବରୁ ଦୁନିଆରୁ ବିଦାୟ ଜଣାଇଥିଲେ। ଶେଫିଲ୍ଡ ସିଲ୍ଡ ଟ୍ରଫି ମ୍ୟାଚରେ ଦକ୍ଷିଣ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ଫିଲ ହ୍ୟୁଜ୍‌ ନଭେମ୍ବର ୨୫ରେ ନ୍ୟୁ ସାଉଥ ୱେଲ୍ସର ଦ୍ରୁତ ବୋଲର ସଚିନ ଆବଟ୍ଟଙ୍କ ବାଉନ୍ସରକୁ ହୁକ୍‌ କରିବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ। ବଲଟି ହେଲମେଟର ତଳ ଭାଗରେ ତାଙ୍କ ମୁଣ୍ଡକୁ ବାଜିଥିଲା। ହ୍ୟୁଜ ୬୩ ରନ ସ୍କୋରରେ ଖେଲୁଥିଲେ। ବଲ ବାଜିବା ପରେ ପରେ ହ୍ୟୁଜ ମୁଣ୍ଡ ନୁଆଁଇଥିଲେ। କିନ୍ତୁ କିଛି କ୍ଷଣ ମଧ୍ୟରେ ସେ ଚେତାଶୂନ୍ୟ ହୋଇ ପିଚରେ ପଡ଼ିଯାଇଥିଲେ। ତାଙ୍କ ଆଘାତ ଏତେ ଗୁରୁତର ଥିଲା ଯେ ମ୍ୟାଚକୁ ସେଠାରେ ବନ୍ଦ କରିବାକୁ ପଡିଥିଲା। ସେ ୪୯ତମ ଓଭରର ତୃତୀୟ ବଲରେ ଆଘାତ ପାଇବା ପରେ ଚାରି ଦିନିଆ ମ୍ୟାଚ ଆଉ ଅଧିକ ଖେଳାଯାଇ ନ ଥିଲା। ଆହତ ହ୍ୟୁଜଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ନେବାକୁ ପଡିଥିଲା। ତାଙ୍କୁ କୋମା ଅବସ୍ଥାରେ ସେଣ୍ଟ ଭିନ୍ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହ୍ୟୁଜ୍‌ଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନଥିଲା। ଡିସେମ୍ବର ୩ରେ ହ୍ୟୁଜଙ୍କୁ ତାଙ୍କ ସହର ମ୍ୟାକ୍ସଭିଲରେ ଶବଦାହ କରାଯାଇଥିଲା। ହ୍ୟୁଜ ହାରାହାରି ୩୨.୬୫ରେ ୨୬ଟି ଟେଷ୍ଟରେ ୧୫୩୫ ରନ ସ୍କୋର କରିଥିଲେ। ଟେଷ୍ଟ ମ୍ୟାଚରେ ସେ ୩ଟି ଶତକ ଏବଂ ୭ ଅର୍ଦ୍ଧଶତକ ହାସଲ କରିଥିଲେ। ୨୫ ଟି ଏକଦିବସୀୟରେ ହାରାହାରି ୩୫.୯୧ରେ ଦୁଇ ଶତକ ଏବଂ ୪ ଅର୍ଦ୍ଧଶତକ ସହାୟତାରେ ହ୍ୟୁଜ ୮୨୬ ରନ ସ୍କୋର କରିଥିଲେ।

Share