ଶିବ ମିଶ୍ରଙ୍କ ସୃଜନ ସଂସାର

ସାହିତ୍ୟ ସଂସ୍କୃତିକୁ ନେଇ ତାଙ୍କର ସ୍ବପ୍ନ ଓ ଦୁନିଆ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମିନିଗଳ୍ପ ରଚନାରେ ତାଙ୍କର ରହିଛି ଭିନ୍ନ ପରିଚୟ । ଏମିତିରେ ଦୀର୍ଘ ୬ଦଶନ୍ଧି ଧରି ତାଙ୍କର କଲମ ଚାଳନାରେ ସୃଷ୍ଟି କରିଛନ୍ତି ଶତାଧିକ ଗଳ୍ପ, ମିନିଗଳ୍ପ, କବିତା ଓ ନାଟକ । ଏକାଧାରରେ ସେ ଜଣେ କଳାକାର, ନାଟ୍ୟକାର, କବି ଓ ଗାଳ୍ପିକ । ଏଥିଯୋଗୁ ତାଙ୍କୁ ବିଭିନ୍ନ ସଂସ୍ଥାରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌ ତଥା ଗାଳ୍ପିକ ଶିବ ମିଶ୍ର। ଘର ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଭଗବତୀପୁର ପାଟଣାରେ। ଜନ୍ମ ୨୪ା୮ା୧୯୫୨ମସିହାରେ। ପିତା ପଟ୍ଟଯୋଷୀ ଦୁର୍ଗା ମାଧବ ମିଶ୍ର ଓ ମା’ ସରୋଜିନୀ ଦେବୀ। ତାଙ୍କ ପାଠପଢା ରଘୁନାଥପୁର ପ୍ରାଥମିକ ସ୍କୁଲ ଓ ପରେ ବାଣପୁର ବଏଜ ହାଇସ୍କୁଲ ଓ ଏହାପରେ ଗୋଦାବରୀଶ ମହାବିଦ୍ୟାଳୟରେ ଗ୍ରାଜୁଏଶନ କରନ୍ତି। ସେ କୁହନ୍ତି ”ତିନିଦିଗେ ପାହାଡ଼ ପାଚେରି/ ଏକ ଦିଗେ ବିରାଟ ଜଳାର୍ଣ୍ଣବ ଅନନ୍ତ ଲହରି/ ଯା’ଉପରେ ସୂର୍ଯ୍ୟ ଆସେ ପହଁରି ପହଁରି/
ବୁଣେ ଯହିଁ ଆଲୁଅ ସକାଳର/ ସେହି ମୋର ଜନ୍ମଭୂମି ପ୍ରିୟ ବାଣପୁର“। ଯେଉଁଠାକୁ ଗଲେ ବାଟରେ ପଡିବ କେବେ ରୂପସୀ ଚିଲିକାର ପ୍ରାକୃତିକ ଶୋଭା ତ ପୁଣି କେବେ ଭାଲେରି ଓ ଘଣ୍ଟଶିଳା ପାହାଡ଼ ଉହାଡ଼ରେ ନଇଁଆସୁଥିବା ସୂର୍ଯ୍ୟର ରକ୍ତିମ ରୂପବର୍ଣ୍ଣାଳି। ଏହି ପରିବେଶ ହିଁ ମତେ ଲେଖିବା ପାଇଁ ଖୋରାକ ଯୋଗାଇଥିଲା। ଏହା ସହ ଦୈନନ୍ଦିନ ଜୀବନରେ ଘଟୁଥିବା ବିଭିନ୍ନ ଘଟଣା ଓ ପରିବେଶ ପରିସ୍ଥିତି ଯାହା ମୋ ମନକୁ ଛୁଇଁ ଯାଏ ତାକୁ ନେଇ ମୁଁ କାହାଣୀର ରୂପ ଦିଏ। ଯେତେବେଳେ ତାହା କାହାଣୀଭାବରେ ପ୍ରକାଶ ପାଏ ମୋତେ ଆତ୍ମତୃପ୍ତି ମିଳେ। ଅନେକ ସମୟରେ ମନରେ ଆପେ ଆପେ ହସଉକୁଟେ ତ କେବେ ଅଜଣା କାନ୍ଦରେ ଲୁହରେ ଆଖିପତା ଭିଜିଯାଏ। ଲାଗେ ସତେ ଯେମିତି ଗଳ୍ପର ଚରିତ୍ରମାନେ ମୋ ସହିତ ଆଳାପ କରନ୍ତି ଅଜସ୍ର ସଂଳାପର ନୀରବ ଶବ୍ଦରେ। ସେତେବେଳକୁ ମୋର କବିତା ଏବଂ କ୍ଷୁଦ୍ରଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେଉଥାଏ। ହଠାତ୍‌ ଦିନେ କେଜାଣି କାହିଁକି ମନ କହିଲା ମିନି ଗଳ୍ପ ଲେଖିବା ପାଇଁ। ଆଉ ମୁଁ ମୋର ପ୍ରଥମ କବିତା ରାତି ଏବଂ କେତୋଟି ମିନିଗଳ୍ପ ଲେଖିଥିଲି।
ଯେତେବେଳେ ପ୍ରିୟୁନିଭର୍‌ସିଟିରେ ପଢୁଥିଲି ସେତେବେଳେ କବିତା ଲେଖି ପୁରସ୍କୃତ ହୋଇଥିଲି। ପାଠ ପଢା ସରିବା ପରେ ଏକ ଖବରକାଗଜରୁ ବିଜ୍ଞାପନ ପଢି ଅଭିନେତା ହେବାର ନିଶାରେ କଟକ ଆସିଥିଲି। କଟକର ଜନତା ରଙ୍ଗମଞ୍ଚରେ ଅଭିନେତା ଭାବେ ଯୋଗ ଦେଇଥିଲି, ମାତ୍ର ଦିନ କେତେଟା ସେଠାରେ ଅଭିନୟ କରିଥିଲି । ମନ କହିଲା – ଗାଁକୁ ଫେରିଯିବାକୁ। ମୋ ବାପା ବୋଉଙ୍କର ମୁଁ ଥିଲି ଗୋଟିଏ ବୋଲି ପୁଅ। ସେମାନେ ମୋତେ ପାଖଛଡ଼ା କରିବାକୁ ଚାହୁଁ ନ ଥିଲେ କି ମୁଁ ତାଙ୍କଠାରୁ ଦୂରରେ ରହିବାକୁ ଇଚ୍ଛା କରୁ ନ ଥିଲି। ଫେରି ଆସିଲି ତାଙ୍କ ପାଖକୁ। ଗାଁ ର ବେସରକାରୀ ସ୍କୁଲରେ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଲି। ସେଥିପାଇଁ ବୃତ୍ତିଗତ ତାଲିମ ବି ନେଲି। ସେହି ବେସରକାରୀ ସ୍କୁଲ ତା’ପରେ ସରକାରୀ ହେଲା। ପରେ ଅନ୍ତର କିଆରିକୁ ବଦଳି ହୋଇଥିଲି। ୨୦୧୦ ମସିହାରେ ମୁଁ ଚାକିରିରୁ ଅବସର ଗ୍ରହଣ କଲି। କଲେଜରେ ପଢ଼ିବା ବେଳେ କବିତା ଲେଖିବା ଆରମ୍ଭ ହୋଇଥିଲା। ଚାକିରି କରିବା ପରେ କବିତା ସହିତ ନାଟକ ଲେଖିଲି। କାଠଭୂତ, ପାପରଗଙ୍ଗା, ସମ୍ଭବାମି, ମୁଠାଏ ସକାଳ, ଚଉକି ଚକର, ପୁଣି କ୍ଷୁଦ୍ରଗଳ୍ପ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ, ମିନିଗଳ୍ପ ପ୍ରାୟ ୭ଶହରୁ ଅଧିକ ହେବ। ସେଥିମଧ୍ୟରୁ- କଥାକୁହା ଆଖି, ପିଲାଚୋର, ବାର୍ଦ୍ଧକ୍ୟଭତ୍ତା, ନଜର ଅଟକ ଆଦି ଖୁବ ଲୋକପ୍ରିୟ ହୋଇଛି। ଏହାଛଡା କେତେକ ହିନ୍ଦୀ ପୁସ୍ତକକୁ ବି ଅନୁବାଦ କରିଛି। ଯେମିତିକି ଗୀତାଞ୍ଜଳିର କେତୋଟି କବିତା। ଗାଁରେ, ବାହାରଗାଁରେ ଅନେକ ନାଟକରେ ଅଭିନୟ କରିବା ସହିତ ନିର୍ଦ୍ଦେଶନା ବି ଦେଇଛି। ତା’ମଧ୍ୟରେ ଲକ୍ଷେହୀରା, ବାଟବରଣ, ପରପୁରୁଷ, ମୟୂର ସିଂହାସନ, ମୁଁ ସଇତାନ କହୁଛି ଆଦି ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ନାଟକ। ପୁରସ୍କାରଭାବେ ଚିଲିକା ସାହିତ୍ୟ ସମାଜ, ବାଲୁଗାଁ, ବାଣପୁର, ନାଚୁଣୀକଲେଜ, ଶ୍ରୀଧର ଜ୍ଞାନବିକାଶକେନ୍ଦ୍ର ରାଉରକେଲା, ଅଭିପ୍ସା କଟକ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ମୋ ପରିବାର କହିଲେ ଦୁଇପୁଅ, ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ଛୋଟ ସଂସାରଟିଏ । ତେବେ ପାଠକଙ୍କ ସେହ୍ନଶ୍ରଦ୍ଦା ମୋତେ ସର୍ବଦା ହୃଦୟଭରା ମାନସିକ ଶାନ୍ତି ଦେଇଥାଏ। ମୋ ସୃଜନ ସଂସାର ଏମିତି ଆଗକୁ ଆଗକୁ ବଢି ଚାଲିଛି। ଥକିପଡ଼ିନି ମୋ କଲମର ମୁନ। ମୋର ମନେପଡ଼େ ବାପାଙ୍କ କଥା। ହୋମିଓପାଥିକ ଚିକିତ୍ସକ ଭାବରେ ତାଙ୍କର ଯଥେଷ୍ଟ ଖ୍ୟାତି ଥିଲା ଆମ ଅଞ୍ଚଳରେ। ତା’ ସହିତ ଗୀତିକବିତା ଏବଂ ନାଟକ ଲେଖୁଥିଲେ। ନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ତାଙ୍କ ପାଖରେ ଯେତେ ଗୁଣଥିଲା ତା’ର କାଣିଚାଏ ମାତ୍ର ଯଦି ମୋ ପାଖରେ ଥା’ନ୍ତା, ତେବେ ମୋ ଜୀବନ ଧନ୍ୟ ହୋଇଯାଇ ଥା’ନ୍ତା । ଜଣେ ଯୋଗ୍ୟ ବାପାଙ୍କର ଅଯୋଗ୍ୟ ପୁଅ ମୁଁ। ମୋ ବାପାଙ୍କ ଲାଗି ହିଁ ମୁଁ ସାହିତ୍ୟାନୁରାଗୀ ହୋଇପାରିଥିଲି। କାରଣ ମୁଁ ପାଠ ପଢୁଥିବା ବେଳେ ଦିନେ ବାପା କହିଲେ – ବଣକୁ ଯିବୁ,କୋଳି ଖାଇବୁ ?
ମୁଁ କହିଲି – ହଁ । ସିଏ ତ ଆଗରୁ ସେଇ ବଣକୁ ଯାଇଥିଲେ। ସେଇ ଆଡ଼କୁ ଆଙ୍ଗୁଠି ଦେଖାଇ ମୋତେ କହିଲେ- ଯା’।
ମୁଁ ଗଲି। ସେହି ବଣ ଫୁଲର ରଙ୍ଗ ଆଉ ଗନ୍ଧ ମୋତେ ଆକର୍ଷିତ କଲା। ଫଳର ସ୍ବାଦ ମୋତେ ବିମୋହିତ କଲା। ମୁଁ ଚାଲିଲି ଆଗକୁ ଆଗକୁ। ଏବେ ବି ଚାଲୁଛି ସୂର୍ଯ୍ୟ ମୋ ମଥା ଉପରୁ ତଳକୁ ଖସିଲେଣି।
ଏ କଥା ମୁଁ ଭଲ ଭାବରେ ଜାଣେ ଯେ ଯେଉଁମାନେ ଏଇ ବଣକୁ ଯାଆନ୍ତି, ସେମାନଙ୍କ ଭିତରୁ କେହି କେହି ସିଦ୍ଧ ସାଧକ ହୁଅନ୍ତି, ଆଉ କେହି କେହି ଯାଆନ୍ତି ବାଘ ଆଁକୁ। ମୁଁ ଜାଣେନି ମୋର ଗତି କେଉଁଠିକୁ। ତେବେ ବି ଚାଲିବି। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚାଲୁଥିବି, ସାହିତ୍ୟର ଏଇ ମନଲୋଭା ଶାଗୁଆ ବଣରେ।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri