ରାସ୍ତାକୁ ଚାଲି ଆସିଲା ଗାଈ, ଓଲଟିଲା କାର

ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ ବସିଥିବା ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସ୍ଥାନୀୟ ଆର୍‌ଆର୍‌ ଆଇଟି କଲୋନୀ(ଇବ ନଗର)ର ବାସିନ୍ଦା ରଞ୍ଜନ କୁମାର ସାହୁ(୫୫)। ରାଜଗଙ୍ଗପୁରରୁ ରଞ୍ଜନ ତାଙ୍କର ସ୍ତ୍ରୀ, ଏକ ମାତ୍ର ଝିଅ ଓ ଅନ୍ୟ ଜଣେ ପଡୋଶୀଙ୍କ ସହ ଏକ କାର(ନଂ.ଓଡି୨୩ଏମ୍‌-୦୮୮୮) ଯୋଗେ ସୁନ୍ଦରଗଡ଼ ଆସୁ ଥିଲେ। ହେଲେ କରମ ଡିହି ପେଟ୍ରୋଲ ପମ୍ପ ନିକଟରେ କାର୍‌ ସମ୍ମୁଖକୁ ଏକ ଗାଈ ହଠାତ ଚାଲି ଆସିଥିଲା। ଫଳରେ କାର୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ କାର୍‌ ଭିତରୁ ସମସ୍ତଙ୍କୁ ବାହାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ କାରରେ ଆହତଙ୍କୁ ଏକ ନର୍ସିଂହୋମକୁ ନିଆଯାଇଥିଲା। ସେଠାରେ ରଞ୍ଜନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏନେଇ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।