ଏସ୍‌ସିବିରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ବିଳମ୍ବ ହେବ

କଟକ ଅଫିସ,୨୧।୯: ଏସ୍‌ସିବିରେ ପ୍ରସ୍ତାବିତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ କିଛିଦିନ ବିଳମ୍ବ ଘଟିବ। ଏହା ଆସନ୍ତା ୨୧ ତାରିଖରେ ଲୋକାର୍ପଣ ହେବାର ଥିଲା। କିନ୍ତୁ ୬ଦିନ ପରେ ଏହା ଲୋକାର୍ପଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନ ମିିଳିଛି। ରବିବାର ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଜରୁରୀ ବୈଠକ ବସିଥିଲା। ଏଥିରେ ଆର୍‌ଡିସି ଅନିଲ କୁମାର ସାମଲ ଅଧ୍ୟକ୍ଷତା କରିଥିବାବେଳେ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଦତ୍ତେଶ୍ୱର ହୋତା ଏବଂ କେତେଜଣ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ପ୍ରସ୍ତାବିତ ହସ୍ପିଟାଲ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ, ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲେ ବି ସଂପ୍ରସାରିତ ଆଇସିୟୁ ବେଡ୍‌ ପାଇଁ କିଛି କାମ ବାକି ରହିଛି। ତେଣୁ ଏହା ଆଉ ପ୍ରାୟ ୫ରୁ ୬ ଦିନ ଲାଗିପାରେ ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି। ଏହା ବ୍ୟତୀତ ଅକ୍ସିଜେନ ଯୋଗାଣ ଏବଂ ଅନ୍ୟାନ୍ୟ କିଛି କାମ ମଧ୍ୟ ବାକି ରହିଥିବା ଜଣାପଡ଼ିଛି।