କାଠଫାଳିଆରେ ପିଟି ସାଙ୍ଗଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇ ଗିରଫ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ମୈତ୍ରୀବିହାର ଥାନା ଅନ୍ତର୍ଗତ ଇଡ୍‌କୋ ବସ୍ତିରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟି ହତ୍ୟା କରିବା ଘଟଣାରେ ଗୁରୁବାର ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଛି। ସେ ହେଲେ ଏଠାରେ ରହୁଥିବା ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବଡ଼ପତର ଗ୍ରାମର ସୁନାରାମ୍‌ ମୁର୍ମୁ ଓରଫ ସୋନୁର୍‌। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ମୃତ ସୁଶିଲଙ୍କ ସାଙ୍ଗ ବିଶ୍ୱନାଥ କିସ୍କୁ ଓରଫ ଲୁଚାଙ୍କୁ ବୁଧବାର ଗିରଫ କରାଯାଇ ଜେଲ ପଠାଯାଇଥିଲା। ସୋନୁର୍‌ଙ୍କୁ ମଧ୍ୟ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ମୃତକ ଓ ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ଜିଲାରେ ହୋଇଥିବା ବେଳେ ସେମାନେ ଭୁବନେଶ୍ୱର ଇଡ୍‌କୋ ବସ୍ତିର ଆଦିବାସୀ ସାହିରେ ପାଖାପାଖି ରହି ଶ୍ରମିକ ଭାବେ କାମ କରୁଥିଲେ। ସୁଶିଲ ଗୋଟିଏ ଘରେ ରହୁଥିବାବେଳେ ସୋନୁର୍‌ ଓ ବିଶ୍ୱନାଥ ସାମ୍ନା ଘରେ ରହୁଥିଲେ। ରବିବାର ସୋନୁର୍‌ ଓ ସୁଶିଲଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୋମବାର ବିଶ୍ୱନାଥ ଓ ସୋନୁର୍‌ ସ୍ଥାନୀୟ ପଡ଼ିଆକୁ ସୁଶିଲଙ୍କୁ ଡାକି ପାଟିତୁଣ୍ଡ କରିଥିଲେ। ଏହାପରେ ଦୁହେଁ ଆହୁରି ଉତ୍ତ୍ୟକ୍ତ ହୋଇପଡ଼ିବା ସହ ସୁଶିଲଙ୍କୁ ହତ୍ୟା ଯୋଜନା କରିଥିଲେ। ସୁଶିଲ ଘରେ ଶୋଇଥିବାବେଳେ ମଙ୍ଗଳବାର ଭୋର ୩ଟାରୁ ୫ଟା ଭିତରେ ବିଶ୍ୱନାଥ ଓ ସୋନୁର୍‌ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଏକାଧିକ ଥର ପିଟି ହତ୍ୟା କରିଥିଲେ। ଏ ନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୧୧/୨୦୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା।