ପ୍ରେମୀଯୁଗଳଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ

ଝାରସୁଗୁଡ଼ା ଅଫିସ,୧୪ା୪: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଷାନପଡାର ଏକ ବନ୍ଦ କୋଠରିରୁ ପୋଲିସ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେମାନେ ହେଲେ ସୁବ୍ରତ କିଷାନ (୨୭) ଓ ସମ୍ବଲପୁର ଜିଲା ଠେଲକୋଲି ଥାନା ଗୁମକାରମା ଗ୍ରାମର ସୁମତି ପିଙ୍ଗ୍‌ (୨୨)। ପୋଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ପ୍ରଥମେ ମୃତ ଯୁବକଙ୍କ କାକା ପୀତାମ୍ବରଙ୍କ ଅଭିଯୋଗକୁ ଭିତ୍ତିକରି ବନହରପାଲି ଥାନା ଅପମୃତ୍ୟୁ କେସ୍‌ ନଂ.୩/୨୧ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ପରେ ମୃତ ଯୁବତୀଙ୍କ ମାମୁଁ ସଂକୀର୍ତ୍ତନ କିଷାନ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଏଥିପାଇଁ ସେ ପୁଅଘର ଲୋକଙ୍କୁ ଦାୟୀକରି ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି।
ସୂଚନା ଅନୁଯାୟୀ କିଷାନପଡାର ବିଦେଶୀ କିଷାନଙ୍କ ପୁଅ ସୁବ୍ରତଙ୍କ ସହିତ ଗୁମକାରମା ଗ୍ରାମର ସୁମତିଙ୍କ ବିବାହ ପ୍ରସ୍ତାବ ପଡିଥିଲା। ଏ ନେଇ ଉଭୟ ପରିବାର ତରଫରୁ ଝିଅପୁଅଙ୍କ ଜାତକ ମେଳକ କରାଯାଇଥିଲା। ଏହା ମେଳକ ନ ହେବାରୁ ଝିଅଘର ଲୋକେ ବିବାହରେ ରାଜିହୋଇ ନ ଥିଲେ। ପୁଅ ଘର ଲୋକେ ଅନ୍ୟ ସ୍ଥାନରେ ବାହାଘର ଠିକ୍‌ କରିଥିଲେ। ଆସନ୍ତା ୩ତାରିଖରେ ପୁଅର ବାହାଘର ହୋଇଥାନ୍ତା। ହେଲେ ଏଥିରେ ପୁଅ ରାଜି ନ ହୋଇ ସୁମତିଙ୍କ ସହିତ ଫୋନ୍‌ରେ ସମ୍ପର୍କ ରଖିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଏଭଳି ସ୍ଥିତିରେ ଗତ ୧୦ ତାରିଖରେ ପୁଅ ଝିଅ ଘରକୁ ଯାଇ ତାଙ୍କୁ ସାଙ୍ଗରେ ଧରି ଘରକୁ ପଳାଇ ଆସିଥିଲେ। ପରେ ଝିଅଘର ଲୋକେ ଖୋଜାଖୋଜି କରି ପୁଅଘରେ ପହଞ୍ଚତ୍ଥିଲେ। ପୁଅଘର ଗ୍ରାମରେ ଉଭୟ ପରିବାରକୁ ନେଇ ଏକ ବୈଠକ ହୋଇଥିଲା। ପୁଅ ଓ ଝିଅ ଗୋଟିଏ ଜାତିର ହୋଇଥିବାରୁ ଏହି ବିବାହକୁ ଉଭୟ ପରିବାର ସ୍ବୀକୃତି ଦେଇଥିଲେ। ପୁଅ ଝିଅ ସ୍ବାମୀ ସ୍ତ୍ରୀ ହିସାବରେ ରହିଥିଲେ। ଗତ ରବିବାର ରାତିରେ ଉଭୟ ଖାଇପିଇ ଏକ କୋଠରିରେ ଶୋଇଥିଲେ। ସକାଳୁ ନ ଉଠିବାରୁ ଘର ଲୋକେ କବାଟ ବାଡେଇଥିଲେ। ହେଲେ ସେମାନେ ଉଠି ନ ଥିଲେ। ପରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। କୁମ୍ଭାରବନ୍ଧ ଫାଣ୍ଡି ପୋଲିସ ପହଞ୍ଚତ୍ କବାଟ ଭାଙ୍ଗି ଉଭୟଙ୍କ ମୃତଦେହ ଘର ଭିତରେ ଝୁଲୁଥିବା ଦେଖିଥିଲା। ଉଭୟଙ୍କ ମୃତଦେହ ତଳକୁ ଛୁଇଁଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ତଳକୁ ଓହ୍ଲାଇଥିଲା।