କରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପୋଟ୍ରେଟ ତିଆରି କଲା ଏହି ଦେଶ

ମେକ୍ସିକୋ,୨।୭: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ନୂଆ ନୂଆ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ମେକ୍ସିକୋରେ ମଧ୍ୟ କରୋନା ପ୍ରକୋପ ଜାରି ରହିଛି। ଏଠାରେ କରୋନା କବଳରୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ନର୍ସ ଓ ପୋଲିସ ଆଦି କେହି ବର୍ତ୍ତିପାରିନାହାନ୍ତି। ଉକ୍ତ ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୧,୭୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧,୩୮,୩୧୯ ସୁସ୍ଥ ହୋଇଥିବା ବେଳେ ୨୮,୫୧୦ଜଣଙ୍କ ମୃତ୍ୟୁ ଘଟିସାରିଛି। ମୃତକଙ୍କ ମଧ୍ୟରେ କେତେକ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି। ତେବେ କରୋନା ଯୁଦ୍ଧରେ ହାରିଯାଇଥିବା କରୋନା ଯୋଦ୍ଧା ଡାକ୍ତର ଓ ନର୍ସଙ୍କ ସମ୍ମାନରେ ସେମାନଙ୍କ ଫଟୋକୁ ନେଇ ଏକ ପୋଟ୍ରେଟ ତିଆରି କରାଯାଇଛି। ଏହାକୁ ତିଆରି କରିବା ପାଇଁ କରୋନାରେ ଜୀବନ ହାରିଥିବା ୧୯୮ଡାକ୍ତର ଓ ନର୍ସଙ୍କ ଫଟୋକୁ ବ୍ୟବହାର କରାଯାଇଛି। ଏହି ପୋଟ୍ରେଟକୁ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share