Categories: ଅନୁଗୋଳ

ଅନୁଗୋଳରେ ନକଲି ବିଦେଶୀ ମଦ ସାମ୍ରାଜ୍ୟ

ଅନୁଗୋଳ ଅଫିସ, ୬ା୨:  ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ାରୁ ମିଳିଛି ନକଲି ବିଦେଶୀ ମଦ ବ୍ୟବସାୟର ଲିଙ୍କ୍‌। ଶନିବାର ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାର୍ଡ ମିଳିତ ଭାବେ ଚଢ଼ାଉ କରି ଏକ ଭଡ଼ାଘରୁ ୧୦୦ରୁ ଊର୍ଦ୍ଧ ବସ୍ତା ମଦବୋତଲ ଠିପି, ବିପୁଳ ପରିମାଣର ଲେବଲ ଏବଂ ଏକ୍ସସାଇଜ ଆଢେଶିଭ ଲେବଲ ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜୟ ପ୍ରକାଶ ଗୁପ୍ତା ସପରିବାର ଫେରାର ହୋଇଯାଇଛନ୍ତି। ଅପରପକ୍ଷେ ଉକ୍ତ ଭଡ଼ାଘରେ ଦୀର୍ଘ ୫ବର୍ଷ ଧରି ଏଭଳି ବେଆଇନ କାରବାର ଚାଲିଥିବାବେଳେ ଏ ସମ୍ପର୍କରେ ପାଖପଡ଼ୋଶୀ ସାମାନ୍ୟତମ ସୁରାକ ପାଇ ନ ପାରିବା ଚର୍ଚ୍ଚାର ବିଷୟ ହୋଇଛି।
ଜୟପ୍ରକାଶ ରାଣୀଗୁଡ଼ା ଅଞ୍ଚଳରେ ଦୀର୍ଘ ୫ବର୍ଷ ହେଲା ଭଡ଼ା ସୂତ୍ରରେ ରହି ନକଲି ମଦ ବ୍ୟବସାୟର କଳା ସାମ୍ରାଜ୍ୟ ଚଳାଇଥିଲେ। ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ବାହାରକୁ ମଧ୍ୟ ପଠାଉଥିଲେ। ନିଜ କଳାକାରନାମା ଉପରେ ପରଦା ଢାଙ୍କିବାକୁ ସେ ଭଡ଼ାଘରର ଝରକାରେ କାଗଜ ପେଟି ମାରି ସିଲ୍‌ କରିଦେଇଥିଲେ। ପାଖପଡ଼ୋଶୀ ଏବଂ ଘର ମାଲିକଙ୍କୁ ସ୍ପେୟାର ପାର୍ଟ ବିଜନେସ କରୁଥିବା କହିଥିଲେ। ଉକ୍ତ ଭଡ଼ାଘରେ ତାଙ୍କ ଶାଶୁ, ଶ୍ୱଶୁର, ସ୍ତ୍ରୀ ଏବଂ ପୁଅ ମଧ୍ୟ ରହୁଥିଲେ। ସମସ୍ତଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବାରୁ ଜୟପ୍ରକାଶଙ୍କୁ ଘର ମାଲିକ କିମ୍ବା ପାଖପଡ଼ୋଶୀ କେହି ସନ୍ଦେହ କରୁ ନ ଥିଲେ।
କୋଲକାତାରୁ ବସ୍‌ରେ ବିଦେଶୀ ମଦ ବୋତଲ ଠିପି, ଲେବଲ ଏବଂ ଏକ୍ସସାଇଜ ଆଢେଶିଭ ଲେବଲ ସାମଗ୍ରୀ ଅଣାଯାଉଥିବା ବେଳେ ବାଲେଶ୍ୱରରେ ଧରାପଡ଼ିଥିଲା। ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶରେ ଗାଡ଼ିକୁ ପିଛା କରିବା ପରେ ଜୟପ୍ରକାଶଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ଜୟପ୍ରକାଶ ରହୁଥିବା ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ତେବେ କୌଣସି ସୂତ୍ରରୁ ସୂଚନା ପାଇ ଅଭିଯୁକ୍ତ ସପରିବାର ଭୁବନେଶ୍ୱର ଯାଉଥିବା କହି ଶନିବାର ସକାଳେ ଫେରାର ହୋଇ ଯାଇଛନ୍ତି। ପୋଲିସ ଏବଂ ଅବକାରୀ କର୍ମଚାରୀ ଘର ଭାଙ୍ଗି ଭିତରେ ପଶିବା ପରେ ନକଲି ମଦ ବୋତଲରେ ବ୍ୟବହାର କରାଯାଉଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମିଳିଥିଲା। ତେବେ ନକଲି ଲେବଲ ବାରକୋଡ୍‌ ଏବଂ ସରକାରୀ ସପ୍ଲାଇ ହେଉଥିବା ଏକ୍ସସାଇଜ ଆଢେଶିଭ ଲେବଲ ଜବତ ହେବା ଅବକାରୀ ବିଭାଗକୁ ଚକିତ କରିଛି। ସେପଟେ ନକଲି ସାମଗ୍ରୀ ଅଣାଯାଉଥିବା ବସ୍‌କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ କେତେଜଣଙ୍କ ସମ୍ପୃକ୍ତି ଥିବା ସନ୍ଦେହ ବଢ଼ିଛି। ଅବକାରୀ ବିଭାଗ ଗୋଇନ୍ଦା ସୂଚନା ଆଧାରରେ ତନାଘନା ଚଳାଇଛି। ଜବତ ସାମଗ୍ରୀର ଆକଳନ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।