ନୂଆଦିଲ୍ଲୀ/ତେହେରାନ,୧।୫: ମଧ୍ୟପ୍ରାଚ୍ୟରେ ଯେକୌଣସି ସମୟରେ ଏକ ବଡ଼ ଧରଣର ବିନାଶ ଦେଖିବାକୁ ମିଳିପାରେ । ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇରାନ ମଧ୍ୟ ପାଲଟା ଜବାବ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ହୋର୍ମୁଜ ପ୍ରଣାଳୀଠାରୁ ଓମାନ ଉପସାଗର ପର୍ଯ୍ୟନ୍ତ ସମୁଦ୍ର ଯେକୌଣସି ମୁହୂର୍ତ୍ତରେ ଅଶାନ୍ତ ହୋଇପାରେ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଚୂଡ଼ାନ୍ତ ଚେତାବନୀ ଦେଇଥିବା ବେଳେ ଇରାନ ମଧ୍ୟ ଆରବ ସାଗରରେ ଆମେରିକାର ନୌସେନା ବାହିନୀକୁ ବୁଡ଼ାଇ ଦେବାକୁ ଧମକ ଦେଇଛି ।
ମୋଟାମୋଟି କହିବାକୁ ଗଲେ, ଆମେରିକା ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବାକୁ ଯାଉଛି, ଯେଉଁଥିରେ ଏସବୁ ଦିଗ ଉପରେ ନଜର ରହିଛି। ଇରାନର ୟୁରାନିୟମ ଭଣ୍ଡାର ଉପରେ କବଜା କରିବା । ଇରାନର ୧୦୦ରୁ ଅଧିକ କ୍ଷେପଣାସ୍ତ୍ର କେନ୍ଦ୍ରକୁ ଧ୍ୱଂସ କରିବା । ଇରାନର ପ୍ରମୁଖ ତୈଳ ଉତ୍ପାଦନ କେନ୍ଦ୍ର ଉପରେ ଆକ୍ରମଣ । ହୋର୍ମୁଜ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବା ଏବଂ ଇରାନରେ ଶାସନ ପରିବର୍ତ୍ତନ କରିବା ।
ଅପରପକ୍ଷେ ଇରାନ ନଇଁବାକୁ ପ୍ରସ୍ତୁତ ନୁହେଁ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି । ଆମେରିକାକୁ ରୋକିବା ପାଇଁ ଇରାନ ଭିନ୍ନ ଉପାୟରେ ଆକ୍ରମଣ କରିପାରେ। ଯେମିତିକି ଟର୍ପିଡୋ ବଦଳରେ ଅଣ୍ଡରୱାଟର ଡ୍ରୋନ ବ୍ୟବହାର,ବଡ଼ ଜାହାଜ ବଦଳରେ ଛୋଟ ଶିପ୍ ଜରିଆରେ ଆକ୍ରମଣ ଏବଂ କାର୍ଗୋ ଜାହାଜରେ ମିସାଇଲ ଲଞ୍ଚର ଲଗାଇ ଆମେରିକୀୟ ନୌସେନା ବାହିନୀ ନିକଟରେ ବିସ୍ଫୋରଣ ଘଟାଇବା।
ଇରାନର ସୁପ୍ରିମ ଲିଡର ମୁଜତୋବା ଖାମେନେଇ ଇସ୍ରାଏଲକୁ ବିନାଶ କରିବାକୁ ଶପଥ ନେଇଛନ୍ତି । ଏଥିସହ ଆରବ ସାଗରରେ ଥିବା ଆମେରିକୀୟ ବାହିନୀ ଏବଂ ଆମେରିକାକୁ ସହଯୋଗ କରୁଥିବା ଆରବ ଦେଶଗୁଡ଼ିକ ଉପରେ ମଧ୍ୟ ଇରାନ ଟ୍ରିପଲ ଆଟାକ କରିବାକୁ ଯୋଜନା କରିଛି ।
ଆମେରିକା ୟୁରାନିୟମ ହାସଲ ପାଇଁ ଇରାନର ଖର୍ଗ ଦ୍ୱୀପ (Kharg Island) ଦଖଲ କରି ସେଠାରେ କମାଣ୍ଡ ସେଣ୍ଟର କରିପାରେ । ଏହାପରେ କମାଣ୍ଡୋମାନେ ହେଲିକପ୍ଟର କିମ୍ବା ପାରାସୁଟ ଜରିଆରେ ଇରାନର ପରମାଣୁ କେନ୍ଦ୍ରରେ ପଶି ୟୁରାନିୟମ ଜବତ କରିପାରନ୍ତି । ଯଦି ଏହି ଗ୍ରାଉଣ୍ଡ ଅପରେସନ ବିଫଳ ହୁଏ, ତେବେ ଆମେରିକା ଆକାଶ ମାର୍ଗରୁ ଭୟଙ୍କର ବୋମାମାଡ଼ କରି ଇରାନକୁ ଧ୍ୱଂସ କରିଦେବ ବୋଲି ଚେତାବନୀ ଦେଇଛି । ଏହି ପରିସ୍ଥିତି ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ।
Dharitri – Odisha’s No.1 Odia Daily