ସରିଲା ଗଣତି, ଡଲଫିନ୍‌ ଦେଖାମିଳିଲାନି

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ଜିଲାରେ ଡଲଫିନ ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ଡଲଫିନ୍‌ର ସନ୍ଧାନ ମିଳି ନ ଥିବା ଜିଲା ବନ ବିଭାଗ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା କାର୍ଯ୍ୟ ପାଇଁ ଦୁଇଟି ଟିମକୁ ଆସିଷ୍ଟାଣ୍ଟ ପ୍ରଫେସର ଡ. ମୁନତାଜ ଖାନଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା। ଗତ ଡିସେମ୍ବର ୧୭ ଓ ୧୮ ତାରିଖରେ ଏହି ଗଣତି ଶେଷ ହୋଇଥିଲା।
ଜିଲାର ଚାନ୍ଦିପୁର, ଜଳେଶ୍ୱର ଏବଂ ନୀଳଗିରି ଆଦି ୩ଟି ରେଞ୍ଜ, ତାଳସାରି ଠାରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣ, ବଳରାମଗଡ଼ିଠାରୁ କାଂଶବାଂଶ ନଦୀ ମୁହାଣ ଏବଂ ବଳରାମଗଡ଼ିରୁ ଚୌମୁଖ ମୁହାଣ , ସାହୁପଡ଼ା ଠାରୁ ଖଣ୍ଡରପଡ଼ା ପର୍ଯ୍ୟନ୍ତ ଡଲଫିନର ସନ୍ଧାନ କରାଯାଇଥିଲା। ହେଲେ ରିପୋର୍ଟରୁ ଯାହା ଜଣାପଡ଼ିଛି ଗୋଟିଏ ବି ଡଲଫିନ୍‌ର ଦେଖାମିଳିନାହିଁ। ତେବେ ଏହି ପ୍ରାଥମିକ ରିପୋର୍ଟକୁ ଭୁବନେଶ୍ୱର ଟିମ୍‌ ଆଉ ଥରେ ତର୍ଜମା କରି ଫାଇନାଲ ରିପୋର୍ଟ ପ୍ରଦାନ କରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବିଗତ ବର୍ଷମାନଙ୍କର ବାଲେଶ୍ୱର ରେଞ୍ଜରେ ଡଲଫିନ୍‌ ଥିବା ଦେଖିବାକୁ ମିଳିଥିଲା। କିଛି ମାସ ତଳେ ଚାନ୍ଦିପୁର ସମୁଦ୍ର ଓ ବାଲିଆପାଳ ଡଗରା ସମୁଦ୍ର କୂଳକୁ ଡଲଫିନ୍‌ ଆସିଥିବା ଦେଖା ଯାଇଥିଲା। ହେଲେ କୌଣସି କାରଣରୁ ଏହି ଡଲଫିନ୍‌ର ମୃତ୍ୟୁ ହୋଇଯାଇଥିଲା। ଦୁଇ ପ୍ରଜାତିର ଡଲଫିନ୍‌ ଏଠାରେ ଦେଖାଯାଇଥାନ୍ତି। ୨୦୧୫ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ୫ଟି ବଟଲନୋଜ୍‌ ପ୍ରଜାତିର ଡଲଫିନ୍‌ ଦେଖିବାକୁ ମିଳିଥିଲା। ୨୦୧୬ ଓ ୨୦୧୭ ରେ ଆଦୌ ଦେଖିବାକୁ ମିଳି ନ ଥିଲା। ଦୁଇବର୍ଷ ବ୍ୟବଧାନ ପରେ ଅର୍ଥାତ୍‌ ୨୦୧୮ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ୪ଟି ଇରାୱାଡ଼ି ପ୍ରଜାତିର ଡଲଫିନ୍‌ ଦେଖାଯାଇଥିଲା। ସେହିପରି ୨୦୧୯ରେ ବଟଲନୋଜ୍‌ ଡଲଫିନ୍‌ ୨ଟି ଓ ଇରାୱାଡ଼ି ଡଲଫିନ୍‌ ୩ଟି ଦେଖିବାକୁ ମିଳିଥିଲା। ୨୦୨୦ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ବଟଲନୋଜ୍‌ ଡଲଫିନ୍‌ ଗୋଟିଏ ଏବଂ ୨୦୨୧ରେ ତାଳସାରୀରୁ ଚୌମୁଖ ସୁବର୍ଣ୍ଣରେଖା ମୁହାଣରେ ବଟଲନୋଜ୍‌ ଡଲଫିନ୍‌ ୨ଟି ଦେଖିବାକୁ ମିଳିଥିଲା। ମାତ୍ର ଚଳିତବର୍ଷ ଡଲଫିନ୍‌ ଆଦୌ ଦେଖାଯାଇ ନାହିଁ। ପ୍ରତିକୂଳ ପାଣିପାଗରେ ରହିବା ଓ ଗଭୀର ସମୁଦ୍ର ଭିତରକୁ ଡଲଫିନ୍‌ ପଳାଇ ଯାଇଥିଲେ ସେମାନଙ୍କ ଦେଖା ମିଳି ନ ଥାଏ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।