ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି ରହିଥିଲା ତିକ୍ତତା। ଜାତିପ୍ରଥା ଓ ପରମ୍ପରା ଉଲ୍ଲଂଘନ କରିଥିବା ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ ପରେ ଜାତିଭାଇ କାନ୍ଧ ଦେଲେନି। ଫଳରେ ୩ ଦିନ ମୃତଦେହ ପଡ଼ି ରହି ପଚିବା ଆରମ୍ଭ କରିଥିଲା। ଗାଁ ମୁଖିଆଙ୍କ ହସ୍ତକ୍ଷେପ ପରେ ବାହାଘର ଭୋଜି ବାବଦରେ ୧୦ କେଜି ମେଣ୍ଢା ମାଂସ ଦେବାକୁ ରାଜି ହେବାରୁ ମୃତଦେହ ସତ୍କାର କରାଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଜୟବିଲା ଗ୍ରାମରେ।
ସୂଚନା ଅନୁଯାୟୀ, ଜିଲା ସଦର ମହକୁମାଠାରୁ ୮କି.ମି. ଦୂର ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଜୟବିଲା ଗ୍ରାମ। ଏହି ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ମୁଣ୍ଡାରୀ ସମ୍ପ୍ରଦାୟର। ଶନିବାର ଅପରାହ୍ନ ୨ଟାରେ ଗଁାର ସମ୍ବାରୀ ସିଂ(୭୦)ଙ୍କ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ଘଟିଥିଲା। ମାତ୍ର ଜାତିପ୍ରଥାକୁ ଅବମାନନା କରି ମୃତା ସମ୍ବାରୀଙ୍କ ପୁଅ ତାଙ୍କ ବାହାଘର ଭୋଜି ଦେଇ ନ ଥିବାରୁ ସାହିପଡ଼ିଶା କିମ୍ବା ଗ୍ରାମବାସୀ ମୃତଦେହ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ। ଫଳରେ ୩ ଦିନ କାଳ ଘର ଭିତରେ ମୃତଦେହ ପଡ଼ିରହି ପଚିବା ଆରମ୍ଭ କରିଥିଲା। ମା’ଙ୍କ ମୃତଦେହ ସତ୍କାର କରିବା ପାଇଁ ଦୁଇ ପୁଅ ଡାକ୍ତର ଓ ଚନ୍ଦନ ଚିନ୍ତାରେ ପଡ଼ିଥିଲେ। ଗଣମାଧ୍ୟମର ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଗାଁ ଲୋକେ ଏକାଠି ହୋଇ ସମାଧାନର ବାଟ କାଢ଼ିଥିଲେ। ଗାଁ ମୁଖିଆ ସାନ ଲକ୍ଷ୍ମଣ ସିଂଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା। ଗାଁ କମିଟିର ନିଷ୍ପତ୍ତି ଅନୁଯାୟୀ, ଜରିମାନା ସଦୃଶ ବାହାଘର ଭୋଜି ବାବଦରେ ୮ଦିନ ମଧ୍ୟରେ ୧୦କେ.ଜି. ମେଣ୍ଢା ମାଂସ ଦେବାକୁ ସମ୍ବାରୀଙ୍କ ବଡ଼ ପୁଅ ରାଜି ହେବାପରେ ସୋମବାର ଅପରାହ୍ନରେ ଗଁା ଲୋକେ ମୃତଦେହ ସତ୍କାର କରିଥିଲେ। ତେବେ ପ୍ରତିଶ୍ରୁତି ଅନୁଯାୟୀ, ଭୋଜି ପାଇଁ ମାଂସ ନ ଦେଲେ ଶୁଦ୍ଧି କ୍ରିୟାରେ କୌଣସି ଲୋକ ସାମିଲ ହେବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ଗଁା ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡାରୀ ସମ୍ପ୍ରଦାୟର ଲୋକଙ୍କ ଜନ୍ମ, ମୃତ୍ୟୁଠାରୁ ଆରମ୍ଭ କରି ବିବାହ କାର୍ଯ୍ୟରେ ଗ୍ରାମବାସୀ ସମ୍ମିଳିତ ହୋଇଥାନ୍ତି। ଜାତିପ୍ରଥା ଅନୁଯାୟୀ ବିବାହ ସମୟରେ ପୁଅଘର ପକ୍ଷରୁ ପଣ(ଯୌତୁକ) ନିଆଯାଇ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥାଏ। ଗାଁରେ ହେଉଥିବା ଭୋଜିରେ ସମ୍ବାରୀଙ୍କ ବଡ଼ପୁଅ ଡାକ୍ତର ସାମିଲ ହୋଇଥାନ୍ତି। ତେବେ ବିବାହ ସମୟରେ ଜାତିପ୍ରଥାକୁ ନେଇ ଚାଲିଥିବା ପରମ୍ପରା ସଦୃଶ ମେଣ୍ଢା କିମ୍ବା ଛେଳି ଦେବାକୁ ପଡ଼ିଥାଏ। ସେହି ମାଂସରେ ଭୋଜିଭାତ କରାଯାଇ ଗଁାର ସମସ୍ତେ ବିବାହକୁ ସ୍ବୀକୃତି ଦେଇଥାନ୍ତି। ମାତ୍ର ଡାକ୍ତର ଦୁଇଦୁଇ ଥର ବିବାହ କରିଥିଲେ ମଧ୍ୟ ଜାତିିପ୍ରଥା ଓ ପରମ୍ପରାକୁ ଅବମାନନା କରି ଆସୁଥିଲେ। ଏନେଇ ଗାଁ ଲୋକେ ତାଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେ କାହା କଥା ଶୁଣୁ ନ ଥିଲେ। ଏନେଇ ଗଁାରେ ବୈଠକ ବସି ଜରିମାନା ବାବଦରେ ଏକ ମେଣ୍ଢା ଦେବାକୁ ତାଙ୍କୁ କୁହାଯାଇଥିଲା। ମାତ୍ର ଅଦ୍ୟାବଧି ସେ ମେଣ୍ଢା ଦେଇ ନ ଥିବାରୁ ଗଁା ଲୋକେ ତାଙ୍କ ମା’ଙ୍କ ମୃତଦେହ ସତ୍କାର କାର୍ଯ୍ୟକୁ ବିରୋଧ କରିଥିତ୍ବା କହିଛନ୍ତି।