ରୂପ ବଦଳାଉଛି କରୋନା ଭୂତାଣୁ

କଟକ ଅଫିସ,୧୫ା୭: ଲୁଚକାଳି ଖେଳୁଛି କରୋନା ଭୂତାଣୁ। ବାରମ୍ବାର ରୂପ ବଦଳାଉଛି। ସମାନ ମଣିଷ ଦେହରେ କେତେବେଳେ ରିପୋର୍ଟ ପଜିଟିଭ ତ ଆଉ କେତେବେଳେ ନେଗେଟିଭ ଆସୁଛି। ଗତ ୪ ତାରିଖରେ ସୁସ୍ଥ ହୋଇ ଫେରିଥିବା ଏସ୍‌ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏହାର ୮ ଦିନ ପରେ ପୁଣି ପଜିଟିଭ ଆସିଛି। ଏହାପରେ ତାଙ୍କୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିପରି ୬ ଦିନ ତଳେ ଜଣେ ନିମୋନିଆ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମେଡିସିନ ୱାର୍ଡର ୩ନଂ ୟୁନିଟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଲକ୍ଷଣ ଦେଖି ଚିକିତ୍ସା କରୁଥିବା ଡାକ୍ତର ସନ୍ଦେହରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଇବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହି ରୋଗୀଙ୍କୁ କୋଭିଡ ହସ୍ପିଟାଲ ପଠାଯିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଡାକ୍ତର ଓ ଷ୍ଟାଫ୍‌ଙ୍କୁ କ୍ୱାରାଣ୍ଟାଇନରେ ପଠାଯିବ। ସେହିପରି ପଲମୋନାରୀ ମେଡିସିନ ବିଭାଗରେ ସୋମବାର ଜଣେ ରୋଗୀଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ ଥିବାରୁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ପୁଣି ଥଣ୍ଡା ସର୍ଦି ହେବାରୁ ରୋଗୀ ଓ ତାଙ୍କ ସ୍ତ୍ରୀଙ୍କୁ ଆଇସୋଲେଶନ ୱାର୍ଡକୁ ପଠାଗଲା। ଏହା ବ୍ୟତୀତ ଗଞ୍ଜାମ ଜିଲାରୁ ୨ଜଣ ରୋଗୀ ସୁପର ସ୍ପେଶିଆଲିଟି ଆଉଟଡୋର ଆସିଥିଲେ। ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ବାହାରିଛି। ଏହି ୨ଜଣଙ୍କୁ ମଧ୍ୟ କୋଭିଡ ହସ୍ପିଟାଲ ପଠାଯାଇଛି।