ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୨ା୭: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଗୁରୁବାର ଅତାବିରାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୫୦ ବର୍ଷୀୟା ମହିଳା ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ତେବେ ଅତାବିରା ବ୍ଲକ ଓ ପୌରାଞ୍ଚଳରେ ଏହା ପ୍ରଥମ ଆକ୍ରାନ୍ତ ହୋଇଥିବାରୁ ଅଞ୍ଚଳବାସୀ କରୋନା ସଂକ୍ରମଣକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଅନ୍ୟପଟେ ଆକ୍ରାନ୍ତଙ୍କ ବାସଭବନ ତଥା ଚତୁଃପାର୍ଶ୍ୱର ୧୦୦ ମିଟର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଏବଂ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି ।