ଠିକ୍‌ କରୁନି ଠିକା ସଂସ୍ଥା

ଅନୁଗୋଳ ଅଫିସ, ୧୮।୪:  ଅନୁଗୋଳ ସହରକୁ ସ୍ବଚ୍ଛ, ସୁନ୍ଦର କରିବା ଉପରେ ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ନୂଆକରି ସଫେଇ ଠିକା ନେଇଥିବା ଏକ ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ସହର ପରିବେଶ ଅପରିଷ୍କାର ହୋଇପଡ଼ୁଛି। ସହରର ବହୁ ଲୋକ ଓ କେତେଜଣ ବ୍ୟବସାୟୀ ଏଣେତେଣେ ଅଳିଆ ପକାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଆବର୍ଜନାମାନ ଗଦା ହୋଇ ରହୁଛି। ଶନିବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ଏପରି ଦୂଷିତ ପରିବେଶ ଦେଖି ବିରକ୍ତି ପ୍ରକାଶ କରିଛନ୍ତି। ଯେଉଁମାନେ ସହରକୁ ଅପରିଷ୍କାର କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ମାମଲା ରୁଜୁ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ପୌରପାଳିକା ପକ୍ଷରୁ ଉକ୍ତ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଡକାଯାଇ କଡ଼ା ତାଗିଦ୍‌ କରାଯାଇଛି।
ଅନୁଗୋଳ ସହର ସଫେଇ ପାଇଁ ନୂଆ ଠିକା ସଂସ୍ଥାକୁ କାର୍ଯ୍ୟ ଦିଆଯାଇଛି। ଏପରି କି ସହର ସଫା କରିବା ସହ ଶତ ପ୍ରତିଶତ ଅଳିଆ ଉଠାଇବା ଦାୟିତ୍ୱ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ନୂଆ ଠିକା ସଂସ୍ଥା ଏଥିରେ ଅବହେଳା କରୁଥିବା ଦେଖିବାକୁ ମିଳିଛି। ସଫେଇ କର୍ମଚାରୀମାନେ କେତେବେଳେ କାର୍ଯ୍ୟକୁ ଆସୁଛନ୍ତି ଓ ଯାଉଛନ୍ତି, ତାହାର ହିସାବ ଠିକା ସଂସ୍ଥା ନିକଟରେ ନାହିଁ। ସହର ସ୍ବଚ୍ଛତା ଅନୁଧ୍ୟାନ କରିବାକୁ ପର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ସାନିଟାଇଜ ଏକ୍ସପୋର୍ଟ ଓ ଅନ୍ୟ କର୍ମଚାରୀଙ୍କ ସହ ଯାଇଥିବା ବେଳେ ଜିଲାପାଳ ଏହା ଦେଖିବାକୁ ପାଇଛନ୍ତି। ଏହି ପରିଦର୍ଶନ ସମୟରେ ସହରର କୌଣସି ଗୋଟିଏ ସ୍ଥାନରେ ସଫେଇ କାର୍ଯ୍ୟ ଚାଲୁଥିବା ଜିଲାପାଳ ଦେଖିବାକୁ ପାଇ ନ ଥିଲେ। ଫଳରେ ବିରକ୍ତି ପ୍ରକାଶ କରିବା ସହ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଠିକା ସଂସ୍ଥାର ସୁପରଭାଇଜର ପୁରୁଣା ସଫେଇ କର୍ମଚାରୀଙ୍କ ଦୁଇ ଜଣ ନେତାଙ୍କୁ ଧରି କାର୍ଯ୍ୟ କରୁଥିବାରୁ ସଫେଇ ଠିକ୍‌ ଭାବେ ହୋଇପାରୁ ନ ଥିବା ଆଲୋଚନା ହେଉଛି। ସେହିପରି ସହରରେ ଥିବା ବହୁ ପୁରୁଣା ଘର ଭଙ୍ଗାଯାଇ ନୂଆ ନିର୍ମାଣ ହେଉଛି। କିନ୍ତୁ ଘର ମାଲିକ ପୌରପାଳିକାର ସହାୟତା ନ ନେଇ ଘର ଭଙ୍ଗା ସାମଗ୍ରୀ ସବୁ ରାତାରାତି ସହରର ବିଭିନ୍ନ ସ୍ଥାନରେ ଗଦେଇ ଦେଉଛନ୍ତି। ଗାନ୍ଧୀମାର୍ଗର ଏକ ରାସ୍ତା ପାର୍ଶ୍ୱରେ ବହୁ ପରିମାଣର ଏପରି ଘର ଭଙ୍ଗା ସାମଗ୍ରୀ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। କୌଣସି ଲୋକ ପୁରୁଣା ଘର ଆବର୍ଜନା ନଷ୍ଟ କରିବାକୁ ଅର୍ଥ ଦେଲେ ପୌରପାଳିକା ପକ୍ଷରୁ ଏ ନେଇ ବ୍ୟବସ୍ଥା କରାଯିବାର ନିୟମ ରହିଛି। ନଚେତ ଘର ଭାଙ୍ଗୁଥିବା ଲୋକ ନିଜସ୍ବ ବ୍ୟବସ୍ଥାରେ ଏହାକୁ ଅନ୍ୟତ୍ର ନେଇ ପକାଇବେ। କିନ୍ତୁ ଅନୁଗୋଳରେ ଏଭଳି ହେଉନାହିଁ। ତେଣୁ ପୌରପାଳିକା ଏପରି ଲୋକଙ୍କ ନିକଟରୁ ଜରିମାନା ଆଦାୟ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୌର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ଠିକା ସଂସ୍ଥା ସୁପର ଭାଇଜରଙ୍କୁ ତାଗିଦ୍‌ କରାଯାଇଛି। ଆଗକୁ ଠିକ୍‌ ଭାବେ କାର୍ଯ୍ୟ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଘର ଭଙ୍ଗା ସାମଗ୍ରୀ ସରକାରୀ ଜାଗାରେ ପକାଯାଉଥିବା ସମ୍ପର୍କରେ ଅନୁଧ୍ୟାନ ଚାଲିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ

ପୌରପାଳିକାର ଅବହେଳା
ପୁରୁଣା ଘର ଭାଙ୍ଗି ଲୋକେ ନୂଆ ଘର କରୁଛନ୍ତି। ସେଠାରୁ ବାହାରୁଥିବା ଆବର୍ଜନା ସରକାରୀ ଜାଗାରେ ଗଦଉଛନ୍ତି। ଏଥିପ୍ରତି ପୌରପାଳିକା ଆଖିବୁଜି ଦେଇଥିବାରୁ ସହରବାସୀ ସମସ୍ୟା ଭୋଗୁଛନ୍ତି। କାର୍ଯ୍ୟାନୁଷ୍ଠାନରେ ପୌରପାଳିକା ଅବହେଳା କରୁଛି।
-ପ୍ରତାପ ମହାପାତ୍ର, ଅନୁଗୋଳ

ତାଗିଦ୍‌ କେବଳ ଲୋକଦେଖାଣିଆ
ସହର ସ୍ବଚ୍ଛତାରେ ଅବହେଳା କରୁଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ସଫେଇ ପାଇଁ ଅର୍ଥ ଦିଆଯାଉଥିବାରୁ ଏ କ୍ଷେତ୍ରରେ ପ୍ରଶାସନ ପଛେଇ ଯିବା ଉଚିତ ନୁହେଁ। ତାଗିଦ୍‌ କରାଯିବା ନେଇ ଯେଉଁ କଥା କୁହାଯାଉଛି ତାହା ଲୋକଦେଖାଣିଆ।
-ଅଭୟ ରାୟ, ଅନୁଗୋଳ

ପ୍ରତିବାଦ କଲେ ନାଲି ଆଖି
ସହର ସଫେଇ ଏବେ ଭେଳିକି ପାଲଟିଛି। ରାସ୍ତା, ନାଳ ନର୍ଦ୍ଦମା ଭଲଭାବେ ସଫା କରାଯାଉନାହିଁ। ପ୍ରତିବାଦ କଲେ କେତେଜଣ ସଫେଇ କର୍ମଚାରୀ ନାଲି ଆଖି ଦେଖାଉଛନ୍ତି। ପୌର କାର୍ଯ୍ୟାଳୟରେ ଅଭିଯୋଗ କରିବାକୁ କହୁଛନ୍ତି। ଏଥିରୁ କାର୍ଯ୍ୟାନୁଷ୍ଠାନକୁ ସେମାନଙ୍କ ଭୟ ନ ଥିବା ଜଣାପଡ଼ୁଛି।
-ସରିତା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri