Categories: ଜାତୀୟ

କଂଗ୍ରେସ ଜିତିବନି ୨୦୨୪ ନିର୍ବାଚନ

ଶ୍ରୀନଗର/ନୂଆଦିଲ୍ଲୀ,୩।୧୨:୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ୩୦୦ ଆସନ ଜିତିପାରିବ ନାହିଁ। ଜି-୨୩ ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଜମ୍ମୁ-କଶ୍ମୀରର ଏକ ସଭାକୁ ସମ୍ବୋଧନ ବେଳେ ଏହି ଭବିଷ୍ୟବାଣୀ କରିଛନ୍ତି। କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ନିଜ ଦଳ ପ୍ରତି ଏହାର ଜଣେ ବରିଷ୍ଠ ନେତାଙ୍କ ଏପରି ମନ୍ତବ୍ୟ ଅଡ଼ୁଆ ସୃଷ୍ଟିର କାରଣ ସାଜିଛି।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ବୁଧବାର ପୁଞ୍ଚରେ ଏକ ସଭାକୁ ସମ୍ବୋଧିତ କରି କହିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ ଆସନରେ ବିଜୟୀ ହେବ ବୋଲି ସେ ଦେଖୁନାହାନ୍ତି। ୨୦୧୯ରେ ଉଚ୍ଛେଦ କରାଯାଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ କୋର୍ଟରେ ରହିଛି। ତେଣୁ କେବଳ ଲୋକଙ୍କୁ ଖୁସି କରିବା ପାଇଁ ନିଜ ହାତରେ ନ ଥିବା ବିଷୟରେ ସେ କହିବେ ନାହିଁ। ତାରା ଓ ଜହ୍ନ ଆଣିଦେବୁ ବୋଲି ପ୍ରତିଶ୍ରୁତି ଦେଇପାରିବେ ନାହିଁ। କୋର୍ଟଙ୍କୁ ବାଦ୍‌ଦେଲେ ୩୭୦ ଉଚ୍ଛେଦ ପାଇଁ ଦାୟୀ ସରକାର ହିଁ ଏହା ଉପରେ କିଛି କରିପାରିବେ। ଆମର ୩୦୦ ଏମ୍‌ପି ନିଅଣ୍ଟ ହେଉଛି। ୨୦୨୪ରେ କଂଗ୍ରେସର ୩୦୦ ଏମ୍‌ପି ଜିତିଲେ ଆମେ କିଛି କରିପାରିବୁ। ଭଗବାନଙ୍କ ଇଚ୍ଛାର ବିଜୟ ହେବ। କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏପରି ହେବା ଭଳି ମନେହେଉନାହିଁ। ତେଣୁ ସେ ମିଥ୍ୟା ପ୍ରତିଶ୍ରୁତି ଦେବେ ନାହିଁ ବୋଲି ଆଜାଦ କହିଥିଲେ। ସୂଚନାଯୋଗ୍ୟ, ଆଜାଦ ହେଉଛନ୍ତି ଗତବର୍ଷ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ଅସନ୍ତୁଷ୍ଟ ଗୋଷ୍ଠୀ ‘ଜି-୨୩’ର ସଦସ୍ୟ। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମୁମ୍ବାଇରେ ବୁଧବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ କଂଗ୍ରେସର ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ଏହାର ଦିନକ ପରେ ଆଜାଦଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ ଏକ ସତର୍କଘଣ୍ଟି ବୋଲି ବିଶ୍ଳେଷକମାନେ ବିବେଚନା କରୁଛନ୍ତି।

Share