Categories: ଜାତୀୟ

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା କରାଯାଇଛି। କିନ୍ତୁ ଏହି ନିନ୍ଦା ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଭାରତ ପୁଣିଥରେ ନିଜକୁ ଦୂରେଇ ରଖିଛି। ୟୁଏନଜିଏରେ ଭୋଟ ନ ଦେବା ପାଇଁ ସରକାରଙ୍କ ଆଭିମୁଖ୍ୟକୁ କଂଗ୍ରେସ ନେତା ସମର୍ଥନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଆନନ୍ଦ ଶର୍ମା, ଶିବସେନାର ପ୍ରିୟଙ୍କା ଚତୁଃର୍ବେଦୀ, ଆରଜେଡି ପ୍ରେମଚନ୍ଦ୍ର ଗୁପ୍ତା, ଭାଜପାର ଜିଭିଏନ ନରସିଂହ ରାଓ ଅଂଶଗ୍ରହଣ କରିଥିଲେ। ୟୁକ୍ରେନରେ ଚାଲିଥିବା ରୁଷିଆର ସାମରିକ କାର୍ଯ୍ୟ ମଧ୍ୟରେ ବୈଦେଶିକ ମନ୍ତ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ।
ଭାରତ ସମେତ ପାକିସ୍ତାନ, ଚାଇନା ଭଳି ୩୫ଟି ଦେଶ ପ୍ରସ୍ତାବ ଉପରେ ଭୋଟ ଦେଇ ନାହାନ୍ତି। ସେହିପରି ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ମହାସଭାର ୧୪୧ଟି ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ରୁଷିଆ ସମେତ ୫ ଦେଶ ଏହା ବିରୋଧରେ ମତ ରଖିଛନ୍ତି। ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବାରୁ ଏହା ପାରିତ ହୋଇଛି।

Share