ଦାଦନ ଦୁର୍ଦ୍ଦଶା: ରୁଲିଂ ଦେଲେ ବାଚସ୍ପତି

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଧରିତ୍ରୀରେ ଗତ ୧୧ ତାରିଖରେ ପ୍ରକାଶିତ ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଶୀର୍ଷକ ଖବରକୁ ନେଇ ମଙ୍ଗଳବାର ବିଧାନସଭାରେ କଂଗ୍ରେସ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି। ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଦସ୍ୟ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଏହି ଖବର ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ‘ତେଲଙ୍ଗାନାରେ ଓଡ଼ିଆ ଦାଦନଙ୍କ ଦୁର୍ଦ୍ଦଶା, ଝିଅକୁ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଆଣିଲେ ସ୍ତ୍ରୀ’ ଖବର ଧରିତ୍ରୀରେ ପ୍ରକାଶ ପାଇଛି। କାମ ନ ପାଇ ଲୋକମାନେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ଯାଉଛନ୍ତି। ସେଠାରେ ଇଟାଭାଟିରେ କମ୍‌ ପାରିଶ୍ରମିକରେ ଖଟୁଛନ୍ତି। ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ବନମାଳ ଗ୍ରାମର ଶୁକଦେବ ପରାଭୁଏ(୪୨) ଦାଦନ ଖଟିବାକୁ ତେଲଙ୍ଗାନାର ପୈଦାପଲ୍ଲୀ ଯାଇଥିଲେ। ଇଟାଭାଟିରେ କାମ କରୁଥିବାବେଳେ ଗତ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଇଟାଭାଟି ମାଲିକ ତାଙ୍କ ଶବ ସେଠାରେ ସତ୍କାର କରିବାକୁ ବସିଥିଲେ। ମାତ୍ର ଶୁକଦେବଙ୍କ ସ୍ତ୍ରୀ ଉଷା ପରାଭୁଏ ସ୍ବାମୀଙ୍କ ମୃତଦେହ ନେବାକୁ କହିଥିଲେ ମଧ୍ୟ ଇଟାଭାଟି ମାଲିକ ଛାଡ଼ି ନ ଥିଲେ। ଶେଷରେ ନିରୁପାୟ ହୋଇ ନିଜ ୧୨ ବର୍ଷ ଝିଅକୁ ସେଠାରେ ବନ୍ଧକ ରଖି ସ୍ବାମୀଙ୍କ ମୃତଦେହ ଧରି ଗାଁକୁ ଆସିଥିଲେ। କାମଧନ୍ଦା ନ ପାଇ ଗତ ୪ ମାସ ତଳେ ୨ ପୁଅ ଓ ଝିଅକୁ ଧରି ଯାଇଥିବା ଶୁକଦେବଙ୍କର ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମୃତ୍ୟୁ ଘଟିଲା। ସରକାର କହୁଛନ୍ତି ରାଜ୍ୟର ବିକାଶ ହେଉଛି। କିନ୍ତୁ ଲୋକମାନଙ୍କୁ ଗଣ୍ଡାଏ ଖାଇବାକ୍‌ୁ କିମ୍ବା କାମ ଦେଇପାରୁନାହାନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତିି। ବଲାଙ୍ଗୀର ଜିଲାରୁ ବହୁ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରେ ଥିବା ଇଟାଭାଟିଗୁଡ଼ିକୁ ଭାଙ୍ଗିଦେବାକୁ ଜିଲାପାଳ ରାତିଅଧିଆ ଅର୍ଡର ଦେଉଛନ୍ତି। ତହସିଲଦାର ଓ ପୋଲିସ ଯାଇ ରାତି ୩ଟାରେ ଇଟାଭାଟି ଭାଙ୍ଗି ଦେଉଛନ୍ତି। ସେଠାରେ ଯେଉଁମାନେ କାମ କରୁଥିଲେ ସେମାନେ ରୋଜଗାର ହରାଇ ବସୁଛନ୍ତି। ପିଲାଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ବାଧ୍ୟ ହୋଇ ଯାଉଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲୋକମାନଙ୍କୁ କାମ ମିଳୁନି। ୧୨ ବର୍ଷର ଝିଅକୁ ବନ୍ଧକ ରଖିବାକୁ ପଡୁଛି। ଏହାଠାରୁ ହୃଦୟ ବିଦାରକ ଘଟଣା କିଛି ହୋଇ ନ ପାରେ। ଏହି ଘଟଣାର ତଦନ୍ତ ପାଇଁ ବାଚସ୍ପତି ତୁରନ୍ତ ରୁଲିଂ ଦିଅନ୍ତୁ। ଗୃହର ମଧ୍ୟଭାଗକୁ ଆସି ସାଲୁଜା ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ବାଚସ୍ପତି ରୁଲିଂ ଦେବାକୁ ପ୍ରତିଶ୍ରୁତି ଦେବା ପରେ ସାଲୁଜା ନିଜ ସିଟ୍‌କୁ ଯାଇଥିଲେ। ଏହି ପ୍ରସଙ୍ଗକୁ ନେଇ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଧରିତ୍ରୀରେ ପ୍ରକାଶିତ ଖବର ଅତ୍ୟନ୍ତ ସମ୍ବେଦନଶୀଳ। ଏହି ଖବର ଉପରେ ତଦନ୍ତ କରିବାକୁ ବାଚସ୍ପତି ତୁରନ୍ତ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। କଂଗ୍ରେସ ସଦସ୍ୟଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ଏହି ଖବର ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ରୁଲିଂ ଦେଇଥିଲେ।