ଦିଗପହଣ୍ଡିର ପ୍ରମୁଖ ସେଚ ପ୍ରକଳ୍ପର ସ୍ଥିତି ଦୟନୀୟ

ଦିଗପହଣ୍ଡି,୨୧ା୧୨(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକରେ ଥିବା ପ୍ରମୁଖ ସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ କୃଷକ ସେଲ ଉପସଭାପତି ବୃନ୍ଦାବନ ଖଟେଇ ବୁଧବାର ସେଚାଞ୍ଚଳ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲେ। ଘୋଡାହାଡ ଡ଼୍ୟାମ, କହ୍ନେଇନାଳ, ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ସେଚାଞ୍ଚଳର ଅନେକ ଚାଷୀଙ୍କ ସହ ଏସବୁ ସେଚ ପ୍ରକଳ୍ପ ସମ୍ପର୍କରେ ସବିଶେଷ ଆଲୋଚନା କରି ଫେରିଛନ୍ତି। ଚଳିତ ବର୍ଷର ସ୍ବ୍ବଳ୍ପ ବୃଷ୍ଟିପାତ ଜନିତ ସମସ୍ୟା ଚାଷୀକୁ କେତେ ବାଧିଛି ତାହା ଆଲୋଚନା ବେଳେ ସେ ଜାଣିପାରିଛନ୍ତି। ଦୀର୍ଘ ୪୦ ବର୍ଷ ପରେ ତାହା ଏବେ ସମ୍ପୂର୍ଣ୍ଣ ଶୁଖି ଯାଇଛି। ପ୍ରକଳ୍ପର ପୂର୍ଣ୍ଣ ଜଳଧାରଣର କ୍ଷମତା ୧୧୭.୮୦ ମିଟର। ଏହାର କେଚମେଣ୍ଟ ଏରିଆର ଦୈର୍ଘ୍ୟ ୧୩୮ ବର୍ଗ ମିଟର। ଆଗାମୀ ବର୍ଷା ଋତୁରେ ଯଦି ପ୍ରକଳ୍ପର ଉପରେ ମୁଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନହେଲେ ଆଗାମୀ ଖରିଫ ଧାନ ଚାଷ ସମୟରେ ଚାଷୀମାନେ ଜଟିଳ ସମସ୍ୟାରେ ସମ୍ମୁଖୀନ ହେବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଡ୍ୟାମ ଓଡ଼ିଶାର ଏକ ମାତ୍ର ପାଇଲଟ ପ୍ରକଳ୍ପ ଭାବେ ପରିଗଣିତ ହେଉଥିବା ଏହା ଉପରେ ଦିଗପହଣ୍ଡି ଅଞ୍ଚଳର ଅନେକ ଚାଷୀ ନିର୍ଭର କରିଥାନ୍ତି। ଅନେକ ଧିବର ଶ୍ରେଣୀର ଲୋକ ଏହି ପ୍ରକଳ୍ପରୁ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ପ୍ରକଳ୍ପ ଶୁଖି ଯାଇଥିବା ଯୋଗୁଁ ଏମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଥିବା ବେଳେ ବିରଳ ଗୋମୁହା ପ୍ରଜାତିର କୁମ୍ଭୀର ମାନଙ୍କ ବାସସ୍ଥଳୀ ଉଜୁଡି ଯାଇଛି। ଏଣୁ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏସବୁ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଛେଳିଗଡ ଜଳସେଚନ ଯୋଜନାକୁ ତୁରୁନ୍ତ କାର୍ଯ୍ୟକରୀ କରିବାକୁ ସେ ଦାବି ଉପସ୍ଥାପନ କରିଛନ୍ତି। ଦିଗପହଣ୍ଡି ବ୍ଲକ ଜକର ଗ୍ରାମର ଚାଷୀମାନଙ୍କ ସହ ସେ ଆଲୋଚନା କରି କହ୍ନେଇନାଳ କ୍ଷୁଦ୍ରସେଚ ପ୍ରକଳ୍ପର ଅବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଗତ ୫୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ସେଚପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ପୋତି ହୋଇପଡିଛି। ଫଳରେ ବଡଡୁମୁଳା ଓ କରପଡା ଗ୍ରାମପଞ୍ଚାୟତର ପ୍ରାୟ ୭ ଶହ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏବେ ଅକାମୀ ହୋଇପଡିଛି। ସେହିପରି ବ୍ଲକର ସିଦ୍ଧେଶ୍ୱର, କୋଟିନଡ଼ା, ଗୋକର୍ଣ୍ଣପୁର ଓ ବାସୁଦେବପୁର ପଞ୍ଚାୟତର ୧୧ ଶହରୁ ଉଦ୍ଧର୍‌ବ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର ଅବସ୍ଥା ତଦୃପ। ଉପରୋକ୍ତ ପ୍ରକଳ୍ପ ଗୁଡିକ ସମ୍ପୁର୍ଣ୍ଣ ଶୁଖିଯାଇଥିବାରୁ ସରକାର ଓ ପ୍ରଶାସନ ଜରୁରୀକାଳୀନ ଭିତ୍ତି ରେ ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ସରକାର ଚାଷୀଙ୍କ ରୋଷର ଶିକାର ହେବେ ବୋଲି କୃଷକ ନେତା ବୃନ୍ଦାବନ ଖଟେଇ ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି।