ଯାଞ୍ଚ ହେବ କୋଭିଡ୍‌ ହସ୍ପିଟାଲ ସ୍ଥିତି

ଭୁବନେଶ୍ୱର, ୪।୧୦(ବ୍ୟୁରୋ):  ରାଜ୍ୟରେ କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥା ପ୍ରସଙ୍ଗ ବାରମ୍ବାର ଉଠିବା ପରେ ଶନିବାର ଏନେଇ ବାଚସ୍ପତି ରୁଲିଂ ଦେଇଛନ୍ତି। ଏଣିକି କୋଭିଡ୍‌ ହସ୍ପିଟାଲଗୁଡ଼ିକର ସ୍ଥିତି ଯାଞ୍ଚ କରାଯିବ। ହସ୍ପିଟାଲଗୁଡ଼ିକରେ କିଭଳି କୋଭିଡ୍‌ ପରିଚାଳନା ହେଉଛି ତାହାର ତଦାରଖ ପାଇଁ ବିଭାଗୀୟ ମନ୍ତ୍ରୀ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରି ସ୍ଥିତି ପରଖିବେ। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲକୁ ଯାଞ୍ଚ କରିବାକୁ ବାଚସ୍ପତି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ କରୋନା ପରିଚାଳନାରେ ଅବ୍ୟବସ୍ଥା ଓ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଭାଜପା ଓ କଂଗ୍ରେସ ପକ୍ଷରୁ ବିଧାନସଭା ଆରମ୍ଭରୁ ଅଭିଯୋଗ ହୋଇଆସୁଛି। ଶନିବାର ଏ ପ୍ରସଙ୍ଗ ପୁଣିଥରେ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ରାଜ୍ୟରେ କୋଭିଡ୍‌-୧୯ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ହସ୍ପିଟାଲରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି। କୋଭିଡ୍‌ ଓ ଅଣକୋଭିଡ୍‌ ରୋଗୀମାନେ ବିଭିନ୍ନ ସ୍ଥାନରେ ହଇରାଣ ହେଉଛନ୍ତି। ଏନେଇ ବହୁ ଲୋକ ତାଙ୍କ ନିକଟରେ ଅଭିଯୋଗ କରୁଥିବା ନାଏକ କହିଥିଲେ। ଏ ସମ୍ପର୍କରେ ରୁଲିଂ ଦେଇ ବିଭିନ୍ନ ସ୍ଥାନରୁ ତାଙ୍କୁ ମଧ୍ୟ ଏଭଳି ଅଭିଯୋଗ ଆସୁଥିବା ବାଚସ୍ପତି କହିଥିଲେ। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।