ଚିନ୍ତା ବଢ଼ାଇଛନ୍ତି ଦନ୍ତା

ଢେଙ୍କାନାଳ ଅଫିସ, ୨୦।୫: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଥମିବାର ନଁା ଧରୁନାହିଁ। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ଉପଦ୍ରବ କରୁଥିବା ଦନ୍ତା ପାଇଁ ବନ ବିଭାଗର ଚିନ୍ତା ବଢ଼ିଛି। ଶୁକ୍ରବାର କପିଳାସ ରେଞ୍ଜ୍‌ ଅଧୀନ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଇ ସାମଲ (୪୮)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୩ଟାରେ ସେ କାଜୁ ବଗିଚାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇ ବନ କର୍ମଚାରୀ ଓ ଗଁଦିଆ ଥାନା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଏ ସଂକ୍ରାନ୍ତରେ ଗଁଦିଆ ଥାନାରେ ନଂ. ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଜିଲାରେ ହାତୀ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରେ ମାସକରେ ୫ ଜୀବନ ଗଲାଣି। ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ ବୃଦ୍ଧି ପାଉଥିବାବେଳେ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଭାଜପା ପକ୍ଷରୁ ଆସନ୍ତା ସୋମବାର ଜିଲା ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ୍‌ରୁ ୨୦୨୩ ଏପ୍ରିଲ୍‌ ମଧ୍ୟରେ ଜିଲାରେ ହାତୀ ଆକ୍ରମଣରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ହିନ୍ଦୋଳ ରେଞ୍ଜ୍‌ରେ ସର୍ବାଧିକ ୨୧ ଜଣଙ୍କ ଜୀବନ ଯାଇଛି। ସେହିପରି ମହାବିରୋଡ ରେଞ୍ଜ୍‌ରେ ୭, ସଦର ରେଞ୍ଜ୍‌ରେ ୩, କପିଳାସ ରେଞ୍ଜ୍‌ରେ ୩, ଷଡ଼ଙ୍ଗୀ ରେଞ୍ଜ୍‌ରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।