ଏସ୍‌ପିଙ୍କୁ ଘେରିଲେ ଅଭିଯୋଗକାରୀ

ଢେଙ୍କାନାଳ ଅଫିସ, ୨୫ ।୧ ଢେଙ୍କାନାଳ ସଦର ଥାନା ହରେକୃଷ୍ଣପୁର ଗ୍ରାମର ଲିସାରାଣୀ ନାୟକଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟଘେରରେ ରହିଛି। ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ଝିଅଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ଆନନ୍ଦ ଚରଣ ଦେହୁରୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସୋମବାର ଆନନ୍ଦ ଚରଣ ଏବଂ ହରେକୃଷ୍ଣପୁର ଗ୍ରାମବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଏହି ସମୟରେ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଫେରୁଥିବା ଏସ୍‌ପିଙ୍କ ଗାଡ଼ିକୁ ଅଭିଯୋଗକାରୀମାନେ ଅଟକାଇଥିଲେ। କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଅଭିଯୋଗ କରିବାକୁ ଏସ୍‌ପି କହିବା ପରେ ଆନ୍ଦୋଳନକାରୀମାନେ ଗାଡ଼ି ଆଗରୁ ହଟିଥିଲେ।
ଗତ ୨୦ ତାରିଖରେ ଲିସାରାଣୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ସୂଚନା ପାଇ ବାଇକ୍‌ରେ ଘରକୁ ଆସୁଥିବା ବେଳେ ଗଁଦିଆ ଥାନା ବିଶ୍ୱନାଥପୁର ନିକଟରେ ସ୍ବାମୀ ଦିଲୀପ ନାୟକଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆନନ୍ଦ ଚରଣଙ୍କ ଅଭିଯୋଗ ଅନୁଯାୟୀ, ୬ମାସ ତଳେ ଦିଲୀପଙ୍କ ସହ ଝିଅ ଲିସାରାଣୀଙ୍କ ବିବାହ ହୋଇଥିଲା। ତେବେ ଏଥିରେ ଦିଲୀପଙ୍କ ପରିବାର ଲୋକଙ୍କ ସହମତି ନ ଥିଲା। ଏହି କାରଣରୁ ଶାଶୁଘରେ ଲିସାରାଣୀଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହାକୁ ନେଇ ଝିଅଜ୍ୱାଇଁ ଚାପରେ ଥିଲେ। ଲିସାଙ୍କ ମୃତଦେହରେ କ୍ଷତ ଚିହ୍ନ ରହିଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି। ଏହାର ବିଧିବଦ୍ଧ ଭାବେ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ହରେକୃଷ୍ଣପୁର ଗ୍ରାମର ସନାତନ ବେହେରା, କୃତ୍ତିବାସ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ସନ୍ତୋଷ ରାଜ, ଅଭୟ ସାହୁ, ତ୍ରିନାଥ ପ୍ରଧାନ ପ୍ରମୁଖ ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପି ଲୋଗାନୟାଗି ଦିବ୍ୟା ଭି. କୁହନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।