କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ ମଙ୍ଗଳବାର ଗ୍ରାମବାସୀ କମ୍ପାନୀ ବାହାରେ ହୋହଲ୍ଲା କରିଛନ୍ତି। ଏହା ସହ କାର୍ଯ୍ୟାଳୟ ଗେଟ୍ରେ ତାଲା ପକାଇବାକୁ ଚେଷ୍ଟା କରିଥିବା ଜଣାପଡିଛି। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକାଶ ଯେ, କୋଦଗାଡିଆଠାରେ ବହୁଧା ଯୋଜନାର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣବେଳେ କାର୍ଯ୍ୟ କରୁଥିବା କମ୍ପାନୀ ଗ୍ରାମରେ ସ୍କୁଲ ଗୃହ ନିର୍ମାଣ, ଠାକୁରାଣୀ ଶାଳରେ ପାଚେରୀ, ଗ୍ରାମରେ କୀର୍ତ୍ତନ ମଣ୍ଡପ, ଗାଁରେ ସୋଲାର ଲାଇଟ, ଗାଁର ସବୁ ରାସ୍ତା କଂକ୍ରିଟ୍ ସହିତ ଗାଁର ପ୍ରତି ସାହିକୁ ପିଇବା ପାଣି ଯୋଗାଣ ଆଦି ପ୍ରତିଶ୍ରୁତି କମ୍ପାନୀ ପକ୍ଷରୁ ଦିଆଯାଇଥିଲା। ମାତ୍ର ଏବେ ପ୍ରତିଶ୍ରୁତିରୁ ଓହରିବାରୁ ଗ୍ରାମବାସୀ କମ୍ପାନୀ ବାହାରେ ହୋହଲ୍ଲା କରିଛନ୍ତି। ଖବରପାଇ ଚମ୍ପୁଆ ବିଡ଼ିଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଓହରିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ପ୍ରତିବାଦ କରୁଛନ୍ତି ବୋଲି
ସରପଞ୍ଚ, ମଞ୍ଜୁଲତା ନାଏକ କହିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଚମ୍ପୁଆ ସ୍ମୃତି ରଞ୍ଜନ ସାହୁ କହିଛନ୍ତି।
Dharitri – The Largest & Most Trusted Odia Daily

