ଗୁଳିମାଡ଼ରେ ସମିତିସଭ୍ୟଙ୍କ ଜୀବନ ଗଲା: ୬ ଅଟକ

କାମାକ୍ଷାନଗର,୨୫ା୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁ ପଞ୍ଚାୟତର ସମିତିସଭ୍ୟ ଦୀପକ ମାହୁନ୍ତ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ସନ୍ଦେହରେ ପୋଲିସ ୬ ଜଣଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ, ଦୀପକ ସକ୍ରିୟ ରାଜନୀତିରେ ରହିଥିବା ବେଳେ ବାଲିଘାଟ, ପଥର ଖଣି ଏବଂ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ। ସବୁଦିନ କାମ ସାରି ଅଞ୍ଚଳବାସୀଙ୍କ ସହ ମିଳାମିଶା କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ଶୁକ୍ରବାର ସେ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ସକାଳୁ କିଛି ଯୁବକ ଦୌଡ଼ିବା ପାଇଁ ଯାଇଥିବା ବେଳେ ଜାମୁଝରା ଛକ ଠାରେ ଦୀପକଙ୍କ ଗାଡ଼ି (ଓଡି ୦୨ଏନ୍‌ ୦୧୨୨) ଥୁଆ ହୋଇଥିବା ବେଳେ ଦୀପକଙ୍କ ଗାଡ଼ି ପଛେ ପଟେ ରକ୍ତ ଯୋଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଏହା ଦେଖି ଯୁବକ ମାନେ ତାଙ୍କ ଘରକୁ ଖବର ଦେବାରୁ ତାଙ୍କର ପୁଅ ଦିବ୍ୟ ଦର୍ଶନ ମାହୁନ୍ତ ଘଟଣାସ୍ଥଳକୁ ଆସି ଚିକିତ୍ସା ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ତହସିଲଦାରଙ୍କ ଦସ୍ତଖତ ସମ୍ବଳିତ ୭୫୩୦ ନମ୍ବର ଥିବା ଏକ ଟ୍ରାଞ୍ଜିଟ ପରମିଟ ଏକ ରସିଦ ବହି ପଡ଼ିଥିବାରୁ ତାହା କୌଣସି ପଥର ମାଫିଆ କିମ୍ବା ବାଲି ମାଫିଆ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ, ତୁମୁସିଙ୍ଗା ଥାନାଧିକାରୀ ଆଶିଷ ଜେନା, ପଣ୍ଡୁଆ ଫାଣ୍ଡି ଅଧିକାରୀ ଶତେପଦ୍ମ। ବିଶ୍ୱାଳ, କାମାକ୍ଷାନଗର ଥାନାଧିକାରୀ ସୁନୀଲ କୁମାର କର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।