Categories: ଖେଳ

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳି ଯାଇଥିଲା ଭାଗ୍ୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଥିଲେ। ଗାବା ଟେଷ୍ଟରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହାପରେ ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରହିଥିଲା। ଏହି କ୍ରମରେ କ୍ରିକେଟରଙ୍କ ସଫଳତା ପଛରେ ଜଣେ ମହିଳା ଥିବା କୁହାଯାଇଥିଲା। ପିଲାଦିନୁ ଶାର୍ଦ୍ଦୁଳଙ୍କ କୋଚ୍‌ ଥିବା ଦିନେଶ ଲାଡ୍‌ଙ୍କ ପତ୍ନୀଙ୍କ ପାଇଁ ଶାର୍ଦ୍ଦୁଳ ଆଜି ନିଜକୁ ପ୍ରମାଣିତ କରିପାରିଛନ୍ତି କହିଲେ ଚଳେ।

ଲାଡ୍‌ଙ୍କ ସ୍ତ୍ରୀ ଶାର୍ଦ୍ଦୁଳଙ୍କୁ ତାଙ୍କ ଘରେ ରହିବାକୁ ଅନୁମତି ଦେଇଥିଲେ। ଘରେ ସେମାନଙ୍କର ସମାନ ବୟସର ଝିଅ ଥିବାରୁ ଏଭଳି ନିଷ୍ପତ୍ତି ନେବା ସହଜ ନ ଥିଲା। ହେଲେ ତାଙ୍କ ଯୋଗୁ ତାହା ହୋଇପାରିଥିଲା। ସେତେବେଳେ ଶାର୍ଦ୍ଦୁଳ ପାଲଘରେ ରହୁଥିଲେ। ବୋରିବଲୀଠାରୁ ୮୬ କିମି ଦୂରରେ ହୋଇଥିବାରୁ ତାଙ୍କୁ ଅସୁବିଧା ହେଉଥିଲା। କୋଚ୍‌ ଲାଡ୍‌ ମଧ୍ୟ ଏହି ପ୍ରତିଭାବାନ୍‌ ଖେଳାଳିଙ୍କ ବହୁତ ସମୟ ନଷ୍ଟ ହେଉ ବୋଲି ଚାହୁଁ ନ ଥିଲେ।

୨୦୦୬ରେ ମୁମ୍ବାଇରେ ସ୍ବାମୀ ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ସ୍କୁଲ ବିପକ୍ଷରେ ଶାର୍ଦ୍ଦୁଳ ଖେଳିଥିଲେ। ତାରାପୁର ବିଦ୍ୟା ମନ୍ଦିର ପାଇଁ ସେ ଖେଳୁଥିବା ବେଳେ ୭୮ ରନ୍‌ କରିବା ସହ ୫ ଉଇକେଟ ନେଇଥିଲେ। ତାଙ୍କର ଖେଳ ଦେଖି ପ୍ରଭାବିତ ହୋଇଥିଲେ ଲାଡ୍‌। ଏପରିକି ତାଙ୍କୁ ଲାଡ୍‌ ନିଜର ସ୍କୁଲରେ ଯୋଗଦେବାକୁ ପ୍ରସ୍ତାବ ଦେଇଥିଲେ। ଏନେଇ ଶାର୍ଦ୍ଦୁଳଙ୍କ ମା’ବାପାଙ୍କ ସହ ସେ କଥା ମଧ୍ୟ ହୋଇଥିଲେ। ହେଲେ ବୋର୍ଡ ପରୀକ୍ଷା ଥିବାରୁ ପାଲଘରରୁ ବମ୍ବେ ଆସିବା ସମ୍ଭବ ନୁହେଁ, ଏଥିପାଇଁ ଅଢ଼େଇ ଘଣ୍ଟା ଲାଗିବ ବୋଲି ସେ କହିଥିଲେ। ଶେଷରେ ସ୍ତ୍ରୀଙ୍କୁ ପଚାରି ଶାର୍ଦ୍ଦୁଳଙ୍କୁ ନିଜ ଘରେ ରଖିଥିଲେ କୋଚ୍‌। ଲାଡ୍‌ କେବଳ ଯେ ଶାର୍ଦ୍ଦୁଳ ତାହା ନୁହେଁ ରୋହିତ ଶର୍ମାଙ୍କୁ ମଧ୍ୟ ଖେଳ ଶିଖାଇଛନ୍ତି।

ସ୍କୁଲ କ୍ରିକେଟ ସମୟରେ ଶାର୍ଦ୍ଦୁଳ ଛଅ ଛକା ମାରି ପ୍ରସିଦ୍ଧି ପାଇଥିଲେ। ପରେ ଅଣ୍ଡର-୧୫ ମୁମ୍ବାଇ ଟିମ୍‌ରେ ତାଙ୍କର ଚୟନ ହୋଇଥିଲେ। ଏହାପରଠାରୁ ସେ ପଛକୁ ଫେରି ଦେଖି ନାହାନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ସେ ୬୯ ରନ୍‌ କରି ୭ ଉଇକେଟ ନେଇଥିଲେ। ଫେବୃୟାରୀରେ ହୋଇଥିବା ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଥିଲା।

Share