Categories: ଜାତୀୟ

ଅସନ୍ତୋଷ ବ୍ୟକ୍ତକଲେ ସିଜେଆଇ

ନୂଆଦିଲ୍ଲୀ,୧୫ା୭:ଆପଣ ଯଦି ପ୍ରତିଦିନ ଗୋଟିଏ ଲେଖାଏ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିବେ ତେବେ ସେଗୁଡ଼ିକର ଶୁଣାଣି ପାଇଁ ଆମକୁ ଏକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ପଡ଼ିବ। ଦେଶର ସମସ୍ତ ସ୍କୁଲରେ ଗୋଟିଏ ଡ୍ରେସ୍‌ କୋଡ୍‌ ଲାଗୁ ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦାଖଲ କରିଥିବା ଏକ ରିଟ୍‌ ପିଟିଶନ ଉପରେ ଗୁରୁବାର ଏଭଳି ଟିପ୍ପଣୀ ଦେଇଛନ୍ତି ପ୍ରଧାନ ବିଚାରପତି ଏନ୍‌.ଭି. ରମନା।
ଅଶ୍ୱିନୀ ଉକ୍ତ ପିଟିଶନରେ ନିଜ ପୁଅଙ୍କୁ ଆବେଦନକାରୀ ଦର୍ଶାଇ ଆସନ୍ତା ସପ୍ତାହରେ ହିଜାବ ପ୍ରସଙ୍ଗରେ ହେବାକୁ ଥିବା ଶୁଣାଣି ସହ ଏହାର ବିଚାର କରିବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ସିଜେଆଇ ରମନା ଏହାକୁ ନେଇ ବିରକ୍ତି ପ୍ରକାଶ କରି କହିଥିଲେ, ଆପଣଙ୍କୁ ଅନେକ ଥର କହିସାରିଲିଣି। ଆପଣ ଯଦି ସବୁଦିନ ଗୋଟିଏ ଲେଖାଏ ପିଆଇଏଲ୍‌ ଦାଖଲ କରିବେ ତେବେ ଆମକୁ ଏକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ପଡ଼ିବ। ଏମିତି କେତେ ପିଟିଶନ ଫାଇଲ କଲେଣି? ସେସବୁର ତ୍ୱରିତ ଶୁଣାଣି କ’ଣ ଜରୁରୀ? ହିଜାବ ପ୍ରସଙ୍ଗରେ ବହୁ ପୂର୍ବରୁ ପିଟିଶନ ହୋଇଛି। ପାର୍ଲାମେଣ୍ଟ କ’ଣ କାମ କରୁନି? କେତେକ ପ୍ରସଙ୍ଗ ବିତର୍କ ପାଇଁ ପାର୍ଲାମେଣ୍ଟ ଉପରେ ଛାଡ଼ି ଦିଆଯାଇଥାଏ କହି ସିଜେଆଇ ଅଶ୍ୱିନୀଙ୍କ ପିଟିଶନର ତ୍ୱରିତ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

Share