ଠିକ୍‌ ଭାବେ ସଫେଇ ହେଉନି ସହର:ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ

ଅନୁଗୋଳ ଅଫିସ, ୪।୧୨- ଅନୁଗୋଳ ଜିଲାରୁ କେତେଜଣ ଡେଙ୍ଗୁ ରୋଗୀ ବାହାରିଲେଣି। ସେମାନେ ବିଭିନ୍ନ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ ନିକଟରେ ଏ ନେଇ ଉପଯୁକ୍ତ ତଥ୍ୟ ପହଞ୍ଚିନାହିଁ। ଏପରି କି ଡେଙ୍ଗୁ ଯେପରି ନ ବ୍ୟାପିବ ସେ ନେଇ ସ୍ବାସ୍ଥ୍ୟ ପ୍ରଶାସନ କିମ୍ବା ପୌର ପ୍ରଶାସନ ପକ୍ଷରୁ ସେପରି ଉଦ୍ୟମ କରାଯାଉ ନାହିଁ। ସହର ସଫେଇ ଠିକ୍‌ ଭାବେ ହେଉ ନ ଥିବାରୁ ଓ ଚାରିଆଡ଼େ ଆବର୍ଜନା ଗଦା ହୋଇ ରହୁଥିବାରୁ ଆଗାମୀ ଦିନରେ ଡେଙ୍ଗୁ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।
ଅନୁଗୋଳ ସହରରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅମଲାପଡ଼ା, ଡେଲିମାର୍କେଟ, ହେମସୁରପଡ଼ା, ବଜାର ଅଞ୍ଚଳ, ଶିମିଳପଡ଼ା, ବସ୍‌ଷ୍ଟାଣ୍ଡ, ଗାନ୍ଧୀମାର୍ଗ, ମିଶ୍ରପଡ଼ା, ହୁଲୁରୁସିଂହା ଛକରେ କୁଢ଼ କୁଢ଼ ଅଳିଆ ଗଦାହୋଇ ରହୁଛି। ଆସ୍ବାସ୍ଥ୍ୟକର ପରିବେଶ ସହ ମଶା ବଂଶ ବୃଦ୍ଧି ପାଉଛି। କିନ୍ତୁ ଏ ନେଇ ପୌର ପ୍ରଶାସନ ଦୃଷ୍ଟି ଦେଉନାହିଁ। ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀମାନେ ଠିକ୍‌ ଭାବେ ସଫେଇ କରୁଛନ୍ତି କି ନାହିଁ ତାହା ସଂସ୍ଥା କର୍ତ୍ତୃପକ୍ଷ ତଦାରଖ କରୁନାହାନ୍ତି। ସହରରେ ଉପସ୍ଥିତ ନ ରହି କେବଳ ଫୋନ୍‌ ମାଧ୍ୟମରେ ପରିଚାଳନା କରାଯାଉଛି। ସେହିପରି ପୌର ପରିମଳ ବିଭାଗ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କାର୍ଯ୍ୟ ଦିଆଯାଇଥିବାରୁ ସେ ପରିମଳ ବ୍ୟବସ୍ଥା ସମ୍ପର୍କରେ ଠିକ୍‌ ଭାବେ ଅବଗତ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ମଶା ମାରିବାକୁ ଟିଫା ମେଶିନ ଥିଲେ ମଧ୍ୟ ଥରୁଟିଏ ହେଲେ ସହରରେ ବୁଲାଯାଉ ନାହିଁ। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ଠିକ୍‌ ଭାବେ ସଫେଇ ହେଉ ନ ଥିବା ଲୋକେ ଅଭିଯୋଗ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ କରାଯାଇଛି। ୭ ଦିନ ମଧ୍ୟରେ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅବହେଳା ପ୍ରଦର୍ଶନ ହୋଇଥିବା ଦୃଷ୍ଟିକୁ ଆସିଲେ ଠିକା ସଂସ୍ଥାର ପାଉଣା ବନ୍ଦ କରାଯିବ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ସମ୍ପର୍କରେ ଅବଗତ ଅଛୁ। କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ମିଳିନାହିଁ। ରୋଗୀଙ୍କ ତଥ୍ୟ ଠିକ୍‌ ଭାବେ ଦେବାକୁ ବିଭିନ୍ନ ନର୍ସିଂହୋମ୍‌କୁ ଚିଠି କରାଯାଇଥିବା ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।