ଢେଙ୍କାନାଳ ଅଫିସ, ୭।୧: ହକି ବିଶ୍ୱକପ୍‌କୁ ମଝିରେ ଦିନ କେଇଟା ବାକି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ଲାଗି ରାଜ୍ୟ ପରିକ୍ରମାରେ ବାହାରିଥିବାବେଳେ ଟ୍ରଫିକୁ ସବୁଠି ଦିଆଯାଉଛି ଉଚ୍ଛ୍ବସିତ ସମ୍ବର୍ଦ୍ଧନା। ହକିର ଅନ୍ୟତମ ଅନ୍ତୁଡ଼ିଶାଳ ଢେଙ୍କାନାଳ ଜିଲା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଗୁରୁବାର ଟ୍ରଫି ପହଞ୍ଚତ୍ବାଠାରୁ ଆରମ୍ଭ କରି ଶୁକ୍ରବାର ବିଦାୟ ନେବା ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିପୁଳ ଉତ୍ସାହ ଓ ଉଦ୍ଦୀପନା। ଆଖି ଝଲସାଇ ଦେବା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଭବ୍ୟ ଶୋଭାଯାତ୍ରାରେ ଟ୍ରଫି ନଗର ପରିକ୍ରମା କରିଥିବାବେଳେ ଜନସମୁଦ୍ରରେ ପରିଣତ ହୋଇଥିଲା ସାରା ସହର।
ଢେଙ୍କାନାଳ ସହରରେ ଗୁରୁବାର ସନ୍ଧ୍ୟାରେ ପହଞ୍ଚତ୍ଥିବା ବିଶ୍ୱକପ୍‌ ହକି ଟ୍ରଫି ରାତ୍ରି ରହଣି କରିଥିଲା ସର୍କିଟ ହାଉସ୍‌ରେ। ଶୁକ୍ରବାର ସକାଳ ୭ଟାରେ ପାରମ୍ପରିକ ଲୋକନୃତ୍ୟ, ବାଦ୍ୟର ତାଳେ ତାଳେ ବିଶାଳ ଶୋଭାଯାତ୍ରାରେ ସର୍କିଟ୍‌ ହାଉସ୍‌ରୁ ବାହାରିଥିବା ଟ୍ରଫି ବସ୍‌ଷ୍ଟାଣ୍ଡ, ଦୁର୍ଗାବଜାର ଛକ, ବଳରାମ ମନ୍ଦିର, ରଥଗଡ଼ା, ଗଣେଶ ବଜାର ଦେଇ ମିନି ଷ୍ଟାଡିୟମ୍‌ରେ ପହଞ୍ଚତ୍ଥିଲା। ଏହି ଅବସରରେ ସହରସ୍ଥିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଧାୟକ ସୁଧୀର ସାମଲ, ଜିଲାପାଳ ସରୋଜ ସେଠୀ, ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣଙ୍କ ସମେତ ବିଭିନ୍ନ କ୍ରୀଡ଼ା ସଙ୍ଗଠନ, ସାଂସ୍କୃତିକ ଅନୁଷ୍ଠାନ, ପ୍ରଶାସନିକ ଅଧିକାରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର, ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ। ମିନିଷ୍ଟାଡିୟମ୍‌ରେ ଆୟୋଜିତ ଉତ୍ସବରେ ମଶାଲ, ବିଶ୍ୱକପ୍‌ ହକିକୁ ସମ୍ବର୍ଦ୍ଧିତ କରାଯାଇଥିଲା। ହକି ବିଶ୍ୱକପ୍‌ ଉପଲକ୍ଷେ ଜିଲାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ସୂଚନା ଦେଇଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାରତୀୟ ଦଳର ସଫଳତା ପାଇଁ ସମସ୍ତେ ଶୁଭକାମନା ଜଣାଇଥିଲେ। ଏହାପରେ ଟ୍ରଫି କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ଦେଇ କେନ୍ଦୁଝର ଅଭିମୁଖେ ଯାଇଥିଲା।