Categories: ବାଣିଜ୍ୟ

ସିଆଇଓର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୫।୪: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା କାଉନସିଲ ଫର ଇନ୍‌ସ୍ୟୁରାନ୍ସ ଅମ୍ବୁଡ୍‌ସମ୍ୟାନ ବା ସିଆଇଓ (ବୀମା ଲୋକପାଳ ପରିଷଦ)ର ବାର୍ଷିକ ଫଳାଫଳ ନିକଟରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷ (୨୦୨୩-୨୪ ଆର୍ଥିକ ବର୍ଷ) ମଧ୍ୟରେ ସିଆଇଓ ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ସର୍ବଭାରତୀୟସ୍ତରରେ ସିଆଇଓର ସମସ୍ତ ୯ଟି କାର୍ଯ୍ୟାଳୟର ମିଳିତ ସହଯୋଗରେ ପ୍ରତିଷ୍ଠାନ ଏହି ସଫଳତା ସହ ଆର୍ଥିକ ବର୍ଷ ଶେଷ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଅଥବା ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୭୭,୧୮୮ ଅଭିଯୋଗର ସମାଧାନ କରିବାରେ ସିଆଇଓ ସଫଳ ହୋଇଛି। ବର୍ଷକ ମଧ୍ୟରେ ଗ୍ରହଣ କରାଯାଇଥିବା ୭୭,୧୮୮ଟି ଅଭିଯୋଗ ମଧ୍ୟରୁ ୩୪% ଅଭିଯୋଗ ଅନଲାଇନରେ ଦାଖଲ କରାଯାଇଥିଲା ଏବଂ ୭୪% ଅଭିଯୋଗ ଶୁଣାଣି ହୋଇ ଅନ୍‌ଲାଇନରେ ସମାଧାନ କରାଯାଇଥିଲା। ସିଆଇଓ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୩-୨୪ ବର୍ଷ ସର୍ବକାଳୀନ ଅଭିଯୋଗର ସମାଧାନ ସହିତ ଏହି ଅନୁଷ୍ଠାନ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ବର୍ଷ ମଧ୍ୟରେ ମୋଟ୍‌ ଆବେଦନ ମାଧ୍ୟମରେ ସମାଧାନ ହୋଇଥିବା ଅଭିଯୋଗ ସଂଖ୍ୟା ୩୬,୮୪୫ ହୋଇଥିବାବେଳେ ସୁପାରିସ କ୍ରମେ ହୋଇଥିବା ଅଭିଯୋଗ ସଂଖ୍ୟା ୧୫,୫୨୮ ରହିଛି। ଅଭିଯୋଗକାରୀଙ୍କ ସପକ୍ଷରେ ଦିଆଯାଇଥିବା ରାୟ ସଂଖ୍ୟା ୨୪,୮୧୫ ରହିଛି । ୪୨.୧୪% ଆର୍ବିଟ୍ରେସନ (ସୁପାରିସ) ମାଧ୍ୟମରେ ମାମଲାର ସମାଧାନ ହୋଇଛି। ୫୯.୩୬% ପ୍ରତିଶତ ମାମଲାର ସମାଧାନ ପଞ୍ଜୀକରଣର ୩୦ ଦିନ ମଧ୍ୟରେ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଅହମଦାବାଦ, ଭୁବନେଶ୍ୱର, ଦିଲ୍ଲୀ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, ଲକ୍ଷ୍ନୌ, ନୋଏଡା ଏବଂ ପାଟନା ଆଦି ୯ଟି କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗଗୁଡ଼ିକର ସମାଧାନ କରାଯାଇଛି।

Share