ଜାମିନ ପାଇଁ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ଚିଲିକା ବିଧାୟକ

କଟକ ଅଫିସ,୧୩।୧୦:ବାଲୁଗଁ। ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ମାଡ଼ମାରିବା ଘଟଣାରେ ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗିରଫଦାରିକୁ ଏଡ଼ାଇବା ପାଇଁ ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ନିମ୍ନ ଅଦାଲତରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଶୁକ୍ରବାର ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ହେଲେ ଅଦାଲତ ଉକ୍ତ ଆବେଦନକୁ ଖାରଜ କରିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଜେଲ ହାଜତକୁ ଯିବାର କିଛି ସମୟ ପରେ ବିଧାୟକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରିବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ତାରିଖରେ ବାଲୁଗଁ। ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା। ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେବାର ଥିଲା। ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ଘଟିବାରୁ ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ବାଲୁଗଁ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ବିଧାୟକ ସେଠାରେ ପହଞ୍ଚତ୍ ନିରଞ୍ଜନଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ ସହ ମାଡ଼ ମାରିଥିଲେ। ବିଧାୟକଙ୍କ ଏଭଳି ଆକ୍ରମଣ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ଶତାଧିକ ଭାଜପା କର୍ମୀ ଧାରଣା ଦେଇଥିଲେ। ନିରଞ୍ଜନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବିଧାୟକ ପ୍ରଶାନ୍ତଙ୍କ ବିରୋଧରେ ଏସ୍‌ସିଏସ୍‌ଟି ଆକ୍ଟ୍ରୋସିଟି ଆକ୍ଟରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।