ବିପଦପୂର୍ଣ୍ଣ ଅବସ୍ଥାରେ ପୋଖରୀକୁ ସ୍ନାନ ପାଇଁ ଯାଉଛନ୍ତି ଶିଶୁ

ଲାଠୋର,୨।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କ୍ଲଷ୍ଟର ଅଧୀନ ମସିଣା ଗ୍ରାମରେ ଥିବା ଋତୁକାଳୀନ ଆବାସିକ ବିଦ୍ୟାଳୟର ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଗଁା ପୋଖରୀକୁ ଯାଇ ଶୌଚ ଓ ସ୍ନାନାଦି କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ କାହାରି ନଜର ଥିବା ପରି ମନେ ହେଉନାହଁି। ଯଦି କୌଣସି ପ୍ରକାର ଦୁର୍ଘଟଣା ଘଟେ ତାହେଲେ ଏଥିପାଇଁ କିଏ ଉତ୍ତରଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି। ଗତ ନଭେମ୍ବର ମାସରେ ମସିଣା ଗ୍ରାମରେ ୬ ମାସ ପାଇଁ ଆବାସିକ ବିଦ୍ୟାଳୟ ଖୋଲିଛି। ଗ୍ରାମର ଯେଉଁ ପରିବାରର ମା’ବାପା ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ସେମାନଙ୍କ ପିଲାମାନେ ଏଠାରେ ରହି ପାଠ ପଢିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୪ ଛାତ୍ରୀ ଏବଂ ୨୧ ଛାତ୍ର ଏହିପରି ମୋଟ ୪୫ ଜଣ ଛାତ୍ରୀଛାତ୍ର ରହି ପାଠ ପଢୁଛନ୍ତି। ସରକାରୀ ନିୟମ ଅନୁସାରେ ଯେଉଁ ବିଦ୍ୟାଳୟରେ ମୁଖ୍ୟତଃ ପାଣି, ଶୌଚାଳୟ ଏବଂ ରହିବା ପାଇଁ ଗୃହର ସୁବିଧା ଥିବ ସେଠାରେ ଏହି ଆବାସିକ ବିଦ୍ୟାଳୟ ଖୋଲିବା କଥା। ହେଲେ ମସିଣା ଗ୍ରାମରେ ଥିବା ବିଦ୍ୟାଳୟରେ ପାଣିର ଅସୁବିଧା ଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଥିଲେ ସୁଦ୍ଧା କେଉଁ ସ୍ବାର୍ଥରେ ଏଠାରେ ବିଦ୍ୟାଳୟ ଖୋଲି ଶିଶୁ ମାନଙ୍କୁ ରଖିଛନ୍ତି ତାହା ବୁଝାପଡୁନାହିଁ । ବିଦ୍ୟାଳୟରେ ନଳକୂପ ରହିଥିଲେ ହେଁ ଚାହିଦା ମୁତାବକ ପାଣି ବାହାରୁ ନାହଁି। ଫଳରେ ଶିଶୁମାନେ ପାଣିର ଅଭାବ ହେତୁ ଗାଧୋଇବା ଓ ଶୌଚ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଠାରୁ ପ୍ରାୟ ଅଧକିଲୋମିଟର ଦୂର ପୋଖରୀକୁ ଯାଉଛନ୍ତି। ପୋଖରୀରେ ପାଣି ଅଧିକ ଥିବାରୁ ଜୀବନ ପ୍ରତି ବିପଦ ରହିଛି। ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ପଚାରିବାରେ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ପଚାରି ପାଣିର ବ୍ୟବସ୍ଥା କରାଯିବ । ପିଲାମାନେ କୌଣସି ମତେ ପୋଖରୀକୁ ଯିବେ ନାହଁି ବୋଲି ସେ କହିଥିଲେ। ଶିକ୍ଷା ବିଭାଗ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ମସିଣା ଗଁାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଆବାସିକ ବିଦ୍ୟାଳୟ ଖୋଲାଯାଇଛି। ଆସନ୍ତା ମେ ମାସ ପର୍ଯ୍ୟନ୍ତ ଏହା ଚାଲିବ । ଏଠାରେ ପିଲାମାନେ ରହିବା, ଖାଇବା ଆଦିର ବ୍ୟବସ୍ଥା କରାଯାଇଛି । ଖପ୍ରାଖୋଲ ବ୍ଲକରେ ଏହିପରି ଆବାସିକ ବିଦ୍ୟାଳୟ ପ୍ରାୟ ୨୦ଟି ରହିଛି।