ଓଡ଼ିଆ ଭାଷା ବୁଝୁନାହାନ୍ତି ପିଲା

ମାଲକାନଗିରି/ମାଥିଲି, ୨୧।୧୧(ଡି.ଏନ୍‌.ଏ.)(ଦୁର୍ଯ୍ୟୋଧନ ପାତ୍ର/ସୁବାସ ଚନ୍ଦ୍ର ଖୁଡୁପିଆ) : ଓଡ଼ିଆ ଭାଷାରେ ଶିକ୍ଷକ କରୁଛନ୍ତି ଶିକ୍ଷାଦାନ। ହେଲେ କୋୟା ଆଦିବାସୀ ପିଲା ତାହାକୁ ବୁଝିପାରୁନାହାନ୍ତି। ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି ଶିକ୍ଷକଙ୍କ କ୍ଷେତ୍ରରେ। ପିଲାମାନେ କୋୟା ଭାଷାରେ କଥା ହେଉଥିବାବେଳେ ସେସବୁ ଶିକ୍ଷକଙ୍କ ମଗଜରେ ପଶୁନାହିଁ। ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି ବ୍ୟବଧାନ ଯେ କେବଳ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେଇନାହିଁ, ବରଂ ଏଥିରେ ପେଷି ହୋଇଯାଉଛି ଓଡ଼ିଆ ଭାଷା। ଶିକ୍ଷା ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର ସୀମାନ୍ତ ମାଲକାନଗିରି ଜିଲାର ମାଥିଲି ବ୍ଲକରେ। କେବଳ ମାଥିଲି ନୁହେଁ, ବହୁଭାଷୀ ଶିକ୍ଷକଙ୍କ ଅଭାବରୁ ଜିଲାର ଅନ୍ୟାନ୍ୟ ଅଞ୍ଚଳରେ ଉପୁଜିଛି ସମାନ ସ୍ଥିତି।
ମାଥିଲି ବ୍ଲକର କମାରପାଲି ପଞ୍ଚାୟତ ଅନ୍ତର୍ଗତ ସୋଡ଼ିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୨ ଛାତ୍ରୀଛାତ୍ର ପାଠ ପଢୁଥିବାବେଳେ ସେମାନଙ୍କ ପାଇଁ ନିୟୋଜିତ ହୋଇଛନ୍ତି ଏକମାତ୍ର ଓଡ଼ିଆ ଶିକ୍ଷକ ରତ୍ନାକର ପାଳ। ତେବେ କୋୟା ଭାଷାଭାଷୀ ଛାତ୍ରୀଛାତ୍ର ଶିକ୍ଷକଙ୍କ କଥା ବୁଝିପାରୁନାହାନ୍ତି କି ସେମାନେ କ’ଣ କହିବାକୁ ଚାହୁଁଛନ୍ତି ତାହା ବୁଝିପାରୁନାହାନ୍ତି ଶିକ୍ଷକ। ଫଳରେ ସ୍କୁଲରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାକୁ ନେଇ ସୃଷ୍ଟି ହୋଇଛି ବ୍ୟବଧାନ। ସମସ୍ୟା କେବଳ ଏତିକିରେ ସରିନାହିଁ। ସମ୍ପୃକ୍ତ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ଏବେ ନିୟୋଜିତ କରିଛି ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ। ଶିକ୍ଷକ ଜଣକ ସରକାରୀ କାର୍ଯ୍ୟରେ ଗଲେ ସ୍କୁଲରେ ତାଲା ଝୁଲୁଛି। ତେଣୁ ଛତିଶଗଡ଼ ସୀମାନ୍ତ ଏହି ବିଦ୍ୟାଳୟରେ କୋୟା ଭାଷା ଜାଣିଥିବା ଜଣେ ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଶିକ୍ଷକ ରତ୍ନାକର ପାଳ ଏବଂ ମାଥିଲି ବ୍ଲକ ଦାୟିତ୍ୱରେ ଥିବା ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଉଭୟଙ୍କ ମତାମତ ମିଳିପାରିନାହିଁ। ଅନ୍ୟପଟେ ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବାବେଳେ ସଂଖ୍ୟାତ୍ମକ ଦୃଷ୍ଟିରୁ ତାହା ଅତି ନଗଣ୍ୟ। ଏହାର ନିୟମିତ ସମୀକ୍ଷା କରାଯାଉ ନ ଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁକିଛି କାମଚଳାରେ ଚାଲିଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ମାଲକାନଗିରି ଜିଲାରେ ସବୁଠି ସମାନ ସ୍ଥିତି
ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲାର ଖଇରପୁଟ, ଚିତ୍ରକୋଣ୍ଡା, ମୋଟୁ, କାଲିମେଳା, ପଡ଼ିଆ ବ୍ଲକରେ ଓଡ଼ିଆ ଭାଷାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଆନ୍ଧ୍ର ସରକାର ତେଲୁଗୁ ଭାଷାକୁ ପ୍ରୋତ୍ସାହିତ କରିବାକୁ ଯାଇ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରୁଛନ୍ତି, ଯାହାର ଶିକାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ପଡ଼ୋଶୀ ରାଜ୍ୟର ଲୋଭନୀୟ ଶିକ୍ଷା ବ୍ୟବସ୍ଥାରେ ଆକୃଷ୍ଟ ହୋଇ ସେମାନେ ତେଲୁଗୁ ସ୍କୁଲମୁହଁା ହେଉଥିବା ଅଭିଯୋଗ ହେଉଛି।
ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧,୧୫୬ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ପାଠ ପଢ଼ିବା ସୁବିଧା ରହିଛି।

ସେହିପରି ହାଇସ୍କୁଲ ସଂଖ୍ୟା ୧୧୩। ଏସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ୧ ଲକ୍ଷ ୩୦ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅନୁରୂପ ଭାବେ ମଙ୍ଗଳ ବିଭାଗ ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ସେବାଶ୍ରମ ବିଦ୍ୟାଳୟରେ ୪୦,୦୦୦ ଛାତ୍ରୀଛାତ୍ର ଅଛନ୍ତି। ମୋଟ ଉପରେ ପ୍ରାୟ ୯୫ ହଜାର ଛାତ୍ରୀଛାତ୍ର ଜନଜାତି ସମ୍ପ୍ରଦାୟର। ତେବେ ମାତ୍ର ୫୩ ବହୁଭାଷୀ ଶିକ୍ଷକ ସମଗ୍ର ଜିଲାରେ ନିଯୁକ୍ତି ଦିଆଯାଇଛି, ଯାହ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି। ପଡ଼ିଆ ବ୍ଲକ ପାଇଁ ୪୫ ଏବଂ ଖଇରପୁଟ ବ୍ଲକ ପାଇଁ ୮ ଜଣ ଥିବାବେଳେ ଅନ୍ୟ ବ୍ଲକ କଥା ରାଜ୍ୟ ସରକାର ଭୁଲିଯାଇଛନ୍ତି, ଯାହା ଆଦିବାସୀ ପିଲାଙ୍କୁ ଓଡ଼ିଆ ଭାଷାରୁ ବିମୁଖ କରୁଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ବହୁଭାଷୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଭୋଳାନାଥ ରାୟ କୁହନ୍ତି, ଆଦିବାସୀ ପିଲା ପଢୁଥିବା ପ୍ରତି ସ୍କୁଲରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ଆବଶ୍ୟକ। ଫଳରେ ଆଦିବାସୀ ଛାତ୍ରୀଛାତ୍ର ଓଡ଼ିଆ ଲିପି ଏବଂ ଭାଷା ସହିତ ଯୋଡ଼ି ହୋଇପାରିବେ। ଠିକ୍‌ ଭାବେ ଓଡ଼ିଆ ଶବ୍ଦ ଉଚ୍ଚାରଣ ମଧ୍ୟ କରିପାରିବେ। ଏ ଦିଗରେ ଅଭିଭାବକଙ୍କୁ ମଧ୍ୟ ସଚେତନ କରାଇବା ଜରୁରୀ। ତେବେ ଜିଲାରେ ନିଯୁକ୍ତିପ୍ରାପ୍ତ ମାତ୍ର ୫୩ ବହୁଭାଷୀ ଶିକ୍ଷକଙ୍କ ପକ୍ଷେ ପାଖାପାଖି ୧ ଲକ୍ଷ ବଣ୍ଡା, କୋୟା, ଡିଡାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା ଅସମ୍ଭବ। ଫଳରେ ପିଲାମାନେ ଭାଷାଗତ ସମସ୍ୟାରେ ପଢୁଛନ୍ତି। କେତେକ କ୍ଷେତ୍ରରେ ଅଧାରୁ ପାଠ ଛାଡ଼ି ଦେଉଛନ୍ତି ଅଥବା ଓଡ଼ିଆ ଭାଷା ଛାଡ଼ି ଅନ୍ୟ ଭାଷାରେ ପଢ଼ିବା ପାଇଁ ଆଗ୍ରହୀ ହେଉଛନ୍ତି।
ବହୁଭାଷୀ ଶିକ୍ଷା ସହାୟକ ସଂଘ ସଭାପତି ମୁଡ଼ା ମାଡ଼କାମୀ କହିଛନ୍ତି, ଆଦିବାସୀଙ୍କୁ ବହୁମୁଖୀ ଶିକ୍ଷାଦାନ ପାଇଁ ଓଡ଼ିଆ, ବଣ୍ଡା ଏବଂ କୋୟା ଭାଷାରେ ପୁସ୍ତକ ପ୍ରକାଶିତ ହୋଇଛି। ହେଲେ ଶିକ୍ଷକଙ୍କୁ ଦିଆଯାଉଥିବା ପାରିଶ୍ରମିକ ଅତି ସ୍ବଳ୍ପ। ଏ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଣୁ ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ର ପ୍ରାଥମିକ ଶିକ୍ଷାକୁ ନେଇ ସମସ୍ୟାରେ ପଡୁଛନ୍ତି। ଆନ୍ଧ୍ର ଭଳି ଓଡ଼ିଶା ସରକାର ରାଜ୍ୟର ସୀମାନ୍ତ ଜିଲାରେ ଅଧିକ ସଂଖ୍ୟାରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ସହ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଲେ ଜିଲାର ଛାତ୍ରୀଛାତ୍ରମାନେ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ହୁଅନ୍ତେ।
ରାଜ୍ୟରେ ୨୨୧ ବହୁଭାଷୀ ଶିକ୍ଷକ
ରାଜ୍ୟରେ ୨୦୦୭-୦୮ରେ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଭିମୁଖୀ କରାଇବା ଉଦ୍ଦେଶ୍ୟରେ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜନଜାତିବହୁଳ ଅଞ୍ଚଳର ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁକୂଳ ଶିକ୍ଷାଦାନ ଏବଂ ଅନୁସୂଚିତ ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି ପାଇଁ କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ୨୨୧ ବହୁଭାଷୀ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ୨୦୨୦ରୁ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ସେମାନେ ମାସିକ ୩,୨୦୦ ଟଙ୍କା ପାରିଶ୍ରମିକ ପାଉଥିବାବେଳେ ଗତ ନଭେମ୍ବର ୪ରେ ରାଜ୍ୟ ସରକାର ସେମାନଙ୍କ ଦରମା ୫,୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ତଥାପି ସ୍ବଳ୍ପ ଦରମାରେ ସେମାନେ ପରିବାର ଚଳାଇବାରେ ସଂଘର୍ଷ କରୁଛନ୍ତି। ଓଡ଼ିଆ ଭାଷା ସଂରକ୍ଷଣରେ ସମ୍ପୃକ୍ତ ଶିକ୍ଷକମାନେ ଗୁରୁଦାୟିତ୍ୱ ତୁଲାଉଥିବାବେଳେ ଅଧିକ ପାରିଶ୍ରମିକ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଲେ ଶିକ୍ଷାଦାନରେ ସେମାନଙ୍କ ଉତ୍ସାହ ବୃଦ୍ଧି ପାଇପାରନ୍ତା ବୋଲି ବୁଦ୍ଧିଜୀବୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri