ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୮ା୧୧(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭବାନୀପାଟଣା କୃଷି ମହାବିଦ୍ୟାଳୟ (ଓୟୁଏଟି) ଖେଳ ପଡିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)କାର୍ଡ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି। କଳାହାଣ୍ଡି ଜିଲାରେ ବର୍ତ୍ତମାନ ମମିତା ହତ୍ୟା ଘଟଣାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ରାଜ୍ୟ ସରକାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଆନ୍ଦୋଳନ, ବିକ୍ଷୋଭ ଜୋରଦାର କରୁଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ଜନତା କର୍ଫ୍ୟୁ ଓ ଭାଜପା ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଆଗୁଆ ଚେତାବନୀ ଦିଆଯାଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ପୋଲିସ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।