ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ପାଇବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ଯୋଗେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜାଣିଲି। ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୬୬ ବର୍ଷୀୟ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ବୁଧବାର ସନ୍ଧ୍ୟାରେ ଅଭିଯୋଗ କରିଥିଲେ ଯେ ୪ରୁ ୫ ଜଣ ବ୍ୟକ୍ତି ତାଙ୍କ କାର୍‌ ପାଖକୁ ଆସି ଆକ୍ରମଣ କରିଥିଲେ। ଆକ୍ରମଣ ଅଭିଯୋଗ ପରେ ମମତାଙ୍କୁ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ରିପୋର୍ଟ ଅନୁଯାୟୀ, ମମତାଙ୍କ ପାଦ, କାନ୍ଧ ଓ ବେକରେ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ପେନ କିଲର ଦିଆଯାଇଛି। ପରୀକ୍ଷାରୁ ଜଣାପଡିଛି ଯେ ତାଙ୍କ ବାମ ଗୋଡ ଆଙ୍କେଲରେ ଗଭୀର ଆଘାତ ଲାଗିଛି। ଏହାବାଦ ପାଦ, ଆଣ୍ଠୁପାଖ ଅଞ୍ଚଳ, ଡାହାଣ କାନ୍ଧ ଓ ବେକରେ ମଧ୍ୟ ମାଡ ହୋଇଛି। ଘଟଣା ପରଠାରୁ ମୁଖ୍ୟମନ୍ତ୍ରୀ ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା କହୁଛନ୍ତି। ଆସନ୍ତା ୪୮ ଘଣ୍ଟା ଯାଏ ସୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଅନୁଧ୍ୟାନ କରିବ ବୋଲି ଏସଏସକେଏମ ହସ୍ପିଟାଲର ଡାକ୍ତର ଏ ବନ୍ଦୋପାଧ୍ୟାୟ କହିଛନ୍ତି।