ମାର୍ଚ୍ଚ ୫ରେ ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୨୮।୨: ଆସନ୍ତା ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ଏବଂ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଆସିବେ । ଏ ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ସାରିଥିବା ବେଳେ ଜିଲା ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବସରରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବରଗଡ଼ର ସ୍ଥାନୀୟ ପ୍ରେମିଶିଳା ମଣ୍ଡପରେ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ। ଉକ୍ତ ବୈଠକରେ ପୂର୍ବତନ ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମ୍ବନ୍ଧରେ ସୂଚନା ଦେବା ସହିତ ବିଜୁ ଏକ୍ସପ୍ରେସ ପ୍ରକ୍ପଳର ଲୋକାର୍ପଣ ଉତ୍ସବ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରକଳ୍ପର ଚୂଡାନ୍ତ ରୂପରେଖ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିବା ବେଳେ କିଶୋର ଦେବତା ଓ ବରିଷ୍ଠ ବିଜେଡି ନେତା ବିମଳ ଦେବତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ ପାଇଁ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲା ସୋହେଲା ସମେତ ନୂଆପଡା, ଜୁନାଗଡ଼, ଆମ୍ବପାଣି ଆଦି ୪ଟି ସ୍ଥାନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ବିଜେଡି ନେତୃମଣ୍ଡଳୀ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡାଙ୍କ ସମେତ ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ଓ ପୌର ପରିଷଦର କାଉନସିଲରବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।