୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୧୧। ୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ ଅଧିକାରୀ ସ୍ତରରେ କାର୍ଯ୍ୟକ୍ରମ ନେଇ କୌଣସି ସୂଚନା ଦେଇନାହାନ୍ତି। ଏହି ଗ୍ରସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଧରଣୀଧର ମେଡ଼ିକାଲ କଲେଜ ଓ ଡାକ୍ତରଖାନାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ତେଣୁ ମେଡିକାଲ କଲେଜକୁ ସାଜସଜ୍ଜା କରିବା ସହ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟ ସଫେଇ, ମରାମତି ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି॥ ସେହିପରି ନିକଟରେ ବିଜେଡି ବିଧାୟକମାନେ ସ୍ଥାନୀୟ ଧରଣୀଧର ସୟଂଶାସିତ ମହାବିଦ୍ୟାଳୟକୁ ବିଶବିଦ୍ୟାଳୟର ମାନ୍ୟତା ଦାବି କରିଛନ୍ତି। ଏଣୁ ଉକ୍ତ ମହାବିଦ୍ୟାଳୟକୁ ବିଶବିଦ୍ୟାଳୟ ଘୋଷଣା କରିବେ ବୋଲି ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ମେଡିକାଲ କଲେଜକୁ ଆସି ସେଠାରେ ସମସ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ବୋଲି ଜଣାସ୍‌ପଡିଛି। ସେହିପରି ନିର୍ମାଣ ଶେଷ ହୋଇଥିବା କେନ୍ଦୁଝର ସହରରେ ଥିବା ଏକ ଅଡିଟରିଅମର ଶୁଭାରମ୍ଭ କରିବାର ସୂଚନା ରହିଛି।