୭ରେ ଝାରସୁୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୫(ବ୍ୟୁରୋ): ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯିବେ । ସେଠାରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀମାନେ ଉତ୍ସାହିତ ହୋଇଛନ୍ତି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି। ବିଜେଡି ପଶ୍ଚିମ ଓଡ଼ିଶା ନେତା ତଥା ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ପୂରା ଦମ୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ଦଳର ଷ୍ଟାର ପ୍ରଚାରକମାନେ ଦୀପାଳିଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାରରେ ଲାଗି ପଡିଛନ୍ତି।
ଅନ୍ୟପକ୍ଷରେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ଭିକ୍ଷା କରିବା ସକାଶେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ୭ ତାରିଖରେ ଝାରସୁଗୁଡ଼ା ଗସ୍ତରେ ଯିବେ। ଗୋଟିଏ ଦିନରେ ଦୁଇ ଦଳର ହେଭିଓ୍ବେଟ ନେତାଙ୍କ ଗସ୍ତ ଝାରସୁଗୁଡ଼ା ଉପ ନିର୍ବାଚନକୁ ସରଗରମ କରିଛି। ପ୍ରଚାରକୁ ନେଇ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ଉପ ନିର୍ବାଚନରେ ବିଜେଡି ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ପୂରା ଦମ୍‌ ଲଗାଇ ଥିବା ବେଳେ ଭାଜପା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ ଓଡ଼ିଶା ଏମ୍‌ପି, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀମାନେ ଜୋର ଲଗାଇଛନ୍ତି। ନିର୍ବାଚନ ଆଉ ମାତ୍ର ୫ ଦିନ ଥିବାବେଳେ ୮ ତାରିଖ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବ। ହାତରେ ଆଉ ୪ ଦିନ ଥିବାରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଘର ଘର ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି।