ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସୁସ୍ଥ ପରିବେଶରେ ବଞ୍ଚତ୍ବାର ସମାନ ଅଧିକାର ରହିଛି। ଜୀବଜନ୍ତୁଙ୍କ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୬୮ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ କହିଲେ, ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ଆମ ରାଜ୍ୟରେ ବହୁ ବିରଳ ବନ୍ୟପ୍ରାଣୀ ବାସ କରୁଛନ୍ତି। ସେମାନଙ୍କ ଆବସସ୍ଥଳୀର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ପରିବେଶ ପର୍ଯ୍ୟଟନସ୍ଥଳୀ ବିକଶିତ କରିବାର ଯୋଜନା ରହିଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ୨୦୨୧ ଅନୁଯାୟୀ ଗତ ଦୁଇବର୍ଷରେ ଆମ ରାଜ୍ୟରେ ଥିବା ହେନ୍ତାଳ ବନର ଆୟତନ ୮.୩୪ବର୍ଗ କିମି ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ହାର ଦେଶରେ ସର୍ବାଧିକ ବୋଲି ମନ୍ତ୍ରୀ ପ୍ରକଶ କରିଛନ୍ତି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିିଥିଲେ। ଏହି ଅବସରରେ ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବଲାଙ୍ଗୀରର ବିକିଜି ନାଗ୍‌ ଓ ଗଞ୍ଜାମ ଜିଲାର ରବୀନ୍ଦ୍ରନାଥ ସାହୁଙ୍କୁ ଚଳିତବର୍ଷ ନିମନ୍ତେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ବିଭାଗ ପକ୍ଷରୁ ୩ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ମନୋଜ ଭି. ନାୟର ଧନ୍ୟବାଦଦେଇଥିଲେ। ଆୟୋଜିତ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିତ୍ଥିଲେ।