ବାଛୁରୀ ନାମ ‘କ୍ରିଷ୍ଣା’ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଜାମୁକୋଳି ଗୋଶାଳା ପରିଦର୍ଶନ କରିଥିଲେ। ସେଠାରେ ଗୋରୁଙ୍କ ରକ୍ଷଣାବେକ୍ଷଣ, ଯତ୍ନ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ଗୋରୁମାନଙ୍କୁ କ’ଣ ଖାଇବାକୁ ଦିଆଯାଉଛି ଓ କ’ଣ ସବୁ ବ୍ୟବସ୍ଥା ରହିଛି, ସେସବୁ ବୁଲି ଦେଖିବା ସହ କିଛି ଗୋରୁଙ୍କୁ ଫଳ ଓ ପନିପରିବା ଖାଇବାକୁ ଦେଇଥିଲେ। ଏଥିସହ ଗୋରୁମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏକ ନବଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ ପଚାରିଥିଲେ। ବାଛୁରୀଟିର ନାମ ଦିଆଯାଇ ନ ଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ‘କ୍ରିଷ୍ଣା’ ରଖିଥିଲେ।
୨୦୧୮ରେ ବିଏମ୍‌ସି ପକ୍ଷରୁ ଜାମୁକୋଳିଠାରେ ୫.୫ ଏକର ପରିମିତ ଜମିରେ ଏହି ଗୋଶାଳା ସ୍ଥାପନ କରାଯାଇଛି। ଏଠାରେ ବର୍ତ୍ତମାନ ୯୦୬ଟି ଗୋରୁ ରହିଛନ୍ତି। ଏହି ଗୋଶାଳାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏନେଇ ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଯଥାଶୀଘ୍ର ସମ୍ପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।