ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଭେଟେରାନ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ମହାରଥୀଙ୍କୁ ବିଜୁ ଜନତା ଦଳର ଜଣେ ପ୍ରତିଷ୍ଠିତ ତଥା ବିଜୁ ବାବୁଙ୍କର ଦୀର୍ଘଦିନର ସହଯୋଗୀ ବୋଲି କହିଛନ୍ତି। ତାଙ୍କର ଅତୁଳନୀୟ ସଂଗଠନ କ୍ଷମତା ପାଇଁ ସେ କ୍ରମାଗତ ଭାବରେ ୭ଥର ପିପିଲିରୁ ଜିତିଥିଲେ। ସେ ଲୋକମାନଙ୍କର ପ୍ରକୃତ ନେତା ଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ଏବଂ ପିପିଲିବାସୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ୍‌ ମଧ୍ୟ ପ୍ରଦୀପ ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାରଥୀଙ୍କ ବିୟୋଗରେ ସେ ଗଭୀର ମର୍ମାହତ। ଠିକ୍‌ ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରଦୀପ ମହାରଥୀ ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ଥିଲେ।