ଓଡ଼ିଶାରେ ଆଉ ଦୁଇ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେଶନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଗୁରୁବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡ଼ି ହୋଇ ଓଡ଼ିଶା ପାଇଁ ଆଉ ଦୁଇଟି ପୁରୀ- ରାଉରକେଲା ଏବଂ ଭୁବନେଶ୍ବର-ହାଇଦ୍ରାବାଦ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଛନ୍ତି। ଏଥିସହ ଅନୁଗୋଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନ୍‌ରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଦାବିକୁ ପୁଣି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀରେ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ନିର୍ମାଣ, ଆଗାମୀ ୩/୪ ବର୍ଷ ଭିତରେ ଏହି ଏୟାରପୋର୍ଟର କାମ ଶେଷ ହେବାକୁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ବିମାନବନ୍ଦରର ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାରେ ରେଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।