ଅମିତଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନିଲ ଦାସ): ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଦିଆଯିବ। ଚାଇନାର ହାଙ୍ଗଝୋଠାରେ ଅନୁଷ୍ଠିତ ୧୯ତମ ଏସିଆନ ଗେମ୍ସରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ପଦକ ଜିତିବାରେ ଅମିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି।
ଚମତ୍କାର ପ୍ରଦର୍ଶନ ପାଇଁ ଅମିତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସେ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କର ଏହି ସଫଳତା ପ୍ରତ୍ୟେକଙ୍କ ପାଇଁ ବଡ଼ କିଛି ହାସଲ କରିବାକୁ ପ୍ରେରଣା ଯୋଗାଇବ। ଓଡ଼ିଶାର ହକି ପ୍ରସିଦ୍ଧ ସୁନ୍ଦରଗଡ଼ ଜିଲାର ସେ ହେଉଛନ୍ତି ଯୋଗ୍ୟ ସନ୍ତାନ । ସେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ମେଡାଲ ଆଣି ରାଜ୍ୟର ଗୌରବ ବୃଦ୍ଧି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚଳିତ ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଭାରତର ପୁରୁଷ ହକି ଟିମ୍‌ ସ୍ବର୍ଣ୍ଣ ପଦକ ଜିତିପାରିଛି। ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି । ଏଥିସହ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ଚତୁର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ହାତେଇଛି। ଏହା ପୂର୍ବରୁ ଭାରତ ୧୯୬୬, ୧୯୯୮ ଏବଂ ୨୦୧୪ ସଂସ୍କରଣରେ ସ୍ବର୍ଣ୍ଣ ଜିତିଥିଲା ।