ନିଷ୍ଠାର ସହ କାମ କରିବାକୁ ମେୟର, ପୌରାଧ୍ୟକ୍ଷଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଲୋକସେବା ଭବନରେ ସୋମବାର ନବନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ନିଜ ନିଜ ସହରରେ ନିଷ୍ଠାର ସହ କାମ କରିବାକୁ ମେୟର ଏବଂ ପୌରାଧ୍ୟକ୍ଷମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ବୀକୃତି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ ଏଲ୍‌ଇଡି ଲାଇଟ୍‌ ଆଦି ସରକାରଙ୍କ ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ସେହିପରି ବସ୍ତି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇ ସରକାର ଜାଗା ମିଶନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ପର୍ଯ୍ୟନ୍ତ ୧.୭୫ଲକ୍ଷ ପରିବାରକୁ ଭୂମି ଅଧିକାର ଦିଆଯାଇଥିବା ବେଳେ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି। ସୁଜଳ କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳେ ରାଜ୍ୟର ୨୦ଟି ସହରରେ ଏବେ ବି କାମ ଚାଲିଛି।

ସେହିପରି କୋଭିଡ୍‌ ସମୟରେ ସହରର ଗରିବ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ମୁକ୍ତା ଯୋଜନା ଜାରି ରହିବ। ଏଥିପାଇଁ ବଜେଟ୍‌ରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।