ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ ଅଫିସ,୧୭ା୯: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ସସ୍ତ୍ରୀକ ଶନିବାର ଅପରାହ୍ନରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଦାରୁଦିଅଁଙ୍କୁ ଦର୍ଶନ କରିଛନ୍ତି। ପ୍ରଧାନ ବିଚାରପତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ସେବାୟତମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ ପ୍ରଦାନ ପୂର୍ବକ ତାଙ୍କୁ ସ୍ବାଗତ କରାଯାଇଥିଲା। ପ୍ରଧାନ ବିଚାରପତି ଲଳିତ ସସ୍ତ୍ରୀକ ରତ୍ନସିଂହାସନାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରିବାପରେ ଶ୍ରୀମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିଥିଲେ। ସେ ଜଗତର ମଙ୍ଗଳ କାମନା କରି ମହାପ୍ରଭୁଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ। ଏହି ଅବସରରେ ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନଓ୍ବର ବିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ଜେନା, ଅତିରିକ୍ତ ଏସ୍‌ପି ମିହିର୍‌ ପଣ୍ଡାଙ୍କ ସମେତ ଅନେକ ଅଧିକାରୀ ଏବଂ ସେବାୟତ ଉପସ୍ଥିତ ଥିଲେ।