ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ, ଲାଞ୍ଚ ନେଲା ବେଳେ…

ଭବାନୀପାଟଣା,୨୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଇଓ ଅଫିସର କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଜିପିଏପ୍‌ କରେଇଦେବା ନେଇ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ପଚାରାଉଚରା କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, କଲମପୁର ବ୍ଲକ ମାଠିଆପଡା ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକଙ୍କୁ ତାଙ୍କ ଜିପିଏପ୍‌ ଟଙ୍କା ଶୀଘ୍ର ଉଠାଇ ଦେବାକୁ କହି ମୁଖ୍ୟ କିରାଣୀ ହରିଜନ ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାଏକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଶୁକ୍ରବାର ଶିକ୍ଷା ବିଭାଗ କାର୍ଯ୍ୟଲୟରେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ହରିଜନ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲେ। ଲାଞ୍ଚ ଟଙ୍କା ଜବତ ସହ ହରିଜନଙ୍କୁ ଗିରଫ କରିଥିଲେ। ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତିକୁ ନେଇ ତଦନ୍ତ କରାଯାଉଥିବା ଜଣାପଡିଛି। ଏହା ସହ ତାଙ୍କ ଗାଁ ଜୁନାଗଡ଼ ବ୍ଲକ ମଥୁରାସ୍ଥିତ ବାସଭବନ ଓ ତାଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ଯାଞ୍ଚ କରିଥିବା ଜଣାପଡିଛି। ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ନଂ (୧୮/୨୨) ରୁଜୁ ହୋଇଛି।