ଭକ୍ତଙ୍କ ମେଳରେ ଗଡ଼ିବ ରଥ

ଅନୁଗୋଳ ଅଫିସ/ ଆଠମଲ୍ଲିକ,  ୧।୭  ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସମ୍ମୁଖରେ ୩ ରଥ ପ୍ରସ୍ତୁତ ହୋଇ ରହିଛି। କରୋନା ପାଇଁ ଗତ ୨ ବର୍ଷ ଧରି ରଥଯାତ୍ରା କେବଳ ମନ୍ଦିର ମଧ୍ୟରେ ସୀମିତ ଥିବାବେଳେ ଚଳିତବର୍ଷ ଭକ୍ତଙ୍କ ମେଳରେ ରଥ ଗଡ଼ିବାକୁ ଯାଉଛି। ଏହାକୁ ନେଇ ଅନୁଗୋଳ ଜିଲାବାସୀ ଉତ୍ସାହିତ ଅଛନ୍ତି। ଶୈଳଶ୍ରୀକ୍ଷେତ୍ରର ଘୋଷଯାତ୍ରାରେ ଚଳିତବର୍ଷ ଦେଢ଼ଶହ ସେବକ ନିୟୋଜିତ ହେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପହଣ୍ଡିରେ ମୋଟ ୪୩ ସେବକ ନିୟୋଜିତ ହେବେ। ବଳଭଦ୍ରଙ୍କ ପହଣ୍ଡିରେ ୯ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୭ ଜଣ ଏବଂ ସୁଦର୍ଶନଙ୍କ ପାଇଁ ୬ ଜଣ ସେବକ ପହଣ୍ଡିରେ ରହିବେ। ପୂର୍ବାହ୍ନ ୭ଟା ୩୦ରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ପରେ ୯ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ରେ ରଥ ଟଣାଯିବ। ଜିଲା କୋର୍ଟ ସମ୍ମୁଖରେ ଜିଲା ଓ ଦୌରା ଜଜ୍‌ ଠାକୁରଙ୍କୁ ଭୋଗଲାଗି କରିବେ। ସେହିପରି ଥାନା ଛକରେ ଏସ୍‌ପି ପୋଡ଼ପିଠା ଭୋଗ ଦେବେ। ପରେ ସନ୍ଧ୍ୟା ୭ଟା ୩୦ରେ ୩ ରଥ ଗୁଣ୍ଡିଚା ଚକଡ଼ା ଛୁଇଁବେ ବୋଲି ସ୍ଥିର କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସେହିପରି ଆଠମଲ୍ଲିକଠାରେ ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପୌର ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଓ ଡ୍ରେନଗୁଡିକ ସଫା କରା ଯାଇଥିଲାବେଳେ ବିଦ୍ୟୁତ୍‌ ବିଭାଗ ତରଫରୁ ଆବଶ୍ୟକ କାର୍ଯ୍ୟ ଶେଷ କରାଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ରଥର ଦୁର୍ବଳ କାଠ ବଦଳାଯାଇ ନୂଆରୂପ ଦିଆଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଠାରେ ପୂର୍ବାହ୍ନ ୪ ଟାରେ ରଥଟଣା ହେବ। ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଲଳିତ ମୋହନ ବେହେରା କହିଛନ୍ତି, ଶୃଙ୍ଖଳିତ ରଥଯାତ୍ରା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଛନ୍ତି, ସମସ୍ତ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରାଯାଇଛି।

Share