Categories: ଭଦ୍ରକ

ଯାଞ୍ଚ ହେବ ୧୧୦ ଦିବ୍ୟାଙ୍ଗଙ୍କ ପ୍ରମାଣପତ୍ର

ଭଦ୍ରକ ଅଫିସ, ୧୭।୧: ଭଦ୍ରକ ସ୍ବୟଂଶାସିତ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟରେ ପାଠପଢ଼ା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।
କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ମୁହଁ ଖୋଲି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତୁରନ୍ତ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିଜେଡି କର୍ମୀମାନଙ୍କୁ ଗିରଫ ପାଇଁ ଏକ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ଅପରପକ୍ଷେ କଲେଜ ଅଧ୍ୟକ୍ଷ ଡ. ଉମାକାନ୍ତ ସାମଲ କହିଛନ୍ତି, କଲେଜର କୌଣସି ଭୂମିକା ନ ଥିବାବେଳେ ଚୟନ ପ୍ରକ୍ରିୟା ସାମସ୍‌ ପକ୍ଷରୁ କରାଯାଉଛି। ଏଣୁ ଆମେ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ କୌଣସି ବିକଳ୍ପ ନାହିଁ। ଏପରି ସ୍ଥଳେ ଜିଲାପାଳ ତ୍ରିଲୋଚନ ମାଝିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ କଲେଜରେ ଅଧ୍ୟୟନରତ ମୋଟ ୯୪୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୧୧୦ ଜଣଙ୍କର ବୈଧତା ଯାଞ୍ଚ କରିବାକୁ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲାର ମୁଖ୍ୟ ଚିକିତ୍ସାଧିକାରୀ କୁହାଯାଇଛି। କେବଳ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ୯୬ ଜଣଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ଅବଶିଷ୍ଟ ପ୍ରମାଣପତ୍ରଗୁଡ଼ିକ ବାଲେଶ୍ୱର ଓ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି।