ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର, ୧୦ା୫(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ଦଳ ପକ୍ଷରୁ ଗଠନ କରାଯାଇଥିବା କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌। ଭାଜପାର ୩ ଜଣିଆ ଟିମ୍‌ ମଙ୍ଗଳବାର ନୂଆଦିଲ୍ଲୀଠାରେ ନଡ୍ଡାଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି। ଏନେଇ ଟୁଇଟ୍‌ ଯୋଗେ ଏକ ଭିଡିଓ ଜାରି କରାଯିବା ସହିତ ସୂଚନା ଦିଆଯାଇଛି। ରାଜ୍ୟ ସଭା ସଦସ୍ୟ ତଥା ପୂର୍ବତନ ପୋଲିସ ଡିଜି ବ୍ରିଜଲାଲଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଗତ ମେ ୨ ତାରିଖରେ ସମ୍ବଲପୁର ଗସ୍ତରେ ଯାଇଥିଲେ। ସେମାନେ ହିଂସାଗ୍ରସ୍ତ ସ୍ଥାନ ବୁଲିବା ସହ ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ଗାଁ ଝାରମୁଣ୍ଡା ଯାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ଘର ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ସେହିପରି ସେମାନେ ଯୁଯୁମୁରା ବ୍ଲକ୍‌ ଭବାନୀପାଲି ଗାଁର ଆହତ କାଳିଆ ଶିଖାଙ୍କ ଘରକୁ ଯାଇ କଥା ହୋଇଥିଲେ। ଏହାପରେ ସମ୍ବଲପୁରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ଏହି ପ୍ରତିନିଧି ଟିମ୍‌ ଭେଟିବା ସହିତ ପୋଲିସ ଆଇଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସମ୍ବଲପୁର ହିଂସା ପୂର୍ବ ପ୍ରାୟୋଜିତ ଥିଲା ବୋଲି ବ୍ରିଜଲାଲ ଗଣମାଧ୍ୟମକୁ କହିଥିଲେ। ତେବେ ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଏଥିରେ ଜଣେ ପ୍ରାଣ ହରାଇବା ସହିତ ଅନେକେ ଆହତ ମଧ୍ୟ ହୋଇଥିଲେ। ଏହାପରେ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି କରାଯାଇଥିଲା। ଭାଜପା ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିବା ବେଳେ ଭାଜପାର ବହୁ ବରିଷ୍ଠ ନେତା ଆହତଙ୍କୁ ଭେଟିବାକୁ ଯିବାବେଳେ ସେମାନଙ୍କୁ ରାସ୍ତାରେ ପୋଲିସ ଅଟକାଇ ଥାନାକୁ ନେଇଯାଇଥିଲା। ବିଜେଡି କିନ୍ତୁ ଏହି ଘଟଣାରେ ଭାଜପାକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା।