Categories: ଜାତୀୟ

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ୭୫୦ କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ବିଶ୍ୱବିଦ୍ୟାଳୟ ସେଠାରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକ ମଡେଲ ଭାବରେ କାର୍ଯ୍ୟ କରିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଲଦାଖରେ ଲଦାଖ ଇଣ୍ଟିଗ୍ରେଟେଡ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଏଲ୍‌ଆଇଆଇଡେସିଓ) ପ୍ରତିଷ୍ଠାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
ଏହି ପ୍ରକଳ୍ପଗୁଡିକ ଅଧୀନରେ ଏକ ସମନ୍ବିତ ବହୁମୁଖୀ ନିଗମ ପ୍ରତିଷ୍ଠା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ନିଗମ ଲଦାଖରେ ପର୍ଯ୍ୟଟନ, ଶିଳ୍ପ, ପରିବହନ ସୁବିଧା ବିକାଶ ଏବଂ ସ୍ଥାନୀୟ ଉତ୍ପାଦ ଏବଂ ହସ୍ତତନ୍ତର ମାର୍କେଟିଂ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଭିତ୍ତିଭୂମି ସୃଷ୍ଟି କରିବ। ଏଥିସହ ସରକାର ପାଞ୍ଚ ବର୍ଷ ମଧ୍ୟରେ ୬,୩୨୨ କୋଟି ଟଙ୍କା ପ୍ରୋତ୍ସାହନ ସହିତ ସ୍ପେସିଆଲିଟି ଷ୍ଟିଲ ପାଇଁ ପିଏଲ୍‌ଆଇ ଯୋଜନାକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ଅନୁଯାୟୀ ଏହି ପ୍ରକଳ୍ପ ଉତ୍ପାଦନ ବୃଦ୍ଧି କରିବ, ଆମଦାନୀ ହ୍ରାସ କରିବ। ମୋଟ ୩୯୬୨୫ କୋଟି ଟଙ୍କା ବିନିଯୋଗ ହେବ।

Share