Categories: ଜାତୀୟ

ଅଫ୍‌ଲାଇନରେ ହେବ ସିବିଏସ୍‌ଇ, ସିଆଇଏସ୍‌ସିଇ ପରୀକ୍ଷା

ନୂଆଦିଲ୍ଲୀ, ୧୯।୧୧(ପି.ଟି.):ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ କିମ୍ବା ଭର୍ଚୁଆଲ ମୋଡ୍‌ରେ କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ୍‌ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍‌ସିିଇ)ର ୬ ଜଣ ଛାତ୍ରୀଛାତ୍ର ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ଲାଗି ଅନୁମତି ଦେବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଗୋଳିଆମିଶା ନ କରିବା ଲାଗି ଅଦାଲତ କହିବା ସହ ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ସିବିଏସ୍‌ଇ ଟର୍ମ-୧ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ୨୨ରୁ ସିଆଇଏସ୍‌ସିଇ ବୋର୍ଡ ପରୀକ୍ଷାର ସେମିଷ୍ଟର-୧ ଆରମ୍ଭ ହେବାକୁ ଯାଉଛି। ତେଣୁ ବର୍ତ୍ତମାନ ସ୍ଥିତିରେ ସମୁଦାୟ ପରୀକ୍ଷା ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଏବଂ ବ୍ୟାଘାତ ସୃଷ୍ଟି କରିବା ଠିକ୍‌ ହେବନାହିଁ ବୋଲି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକର ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ କହିଥିଲେ। ସିବିଏସ୍‌ଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି ଅଦାଲତଙ୍କୁ କହିଥିଲେ, ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଅଫ୍‌ଲାଇନ ମୋଡ୍‌ରେ ବୋର୍ଡ ପରୀକ୍ଷା କରାଇବା ଲାଗି ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସଂଖ୍ୟା ୬,୫୦୦ରୁ ୧୫,୦୦୦କୁ ବଢ଼ାଇ ଦିଆଯାଇଛି। ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଲାଗି ଆବେଦନ କରିବାରେ ବହୁତ ବିଳମ୍ବ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗ୍‌ଡେଙ୍କୁ କହିଥିଲେ।

Share