Categories: ଜାତୀୟ

ବାପପୁଅଙ୍କ ହାଜତ ମୃତ୍ୟୁର ସିବିଆଇ ତଦନ୍ତ ହେବ

ସଲେମ,୨୯ା୬(ପି.ଟି.): ତାମିଲନାଡୁର ଟୁଟିକୋରିନ ଜିଲାରେ ବାପପୁଅଙ୍କ ହାଜତ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାକୁ ରାଜ୍ୟ ସରକାର ସିବିଆଇକୁ ସ୍ଥାନାନ୍ତର କରିଥିବା ରବିବାର ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀ ସୂଚନା ଦେଇଛନ୍ତି।
ଲକ୍‌ଡାଉନବେଳେ ଗତ ୧୯ ତାରିଖରେ ଟୁଟିକୋରିନର ସଥନକୁଲମ୍‌ରେ ପି. ଜୟରାଜ (୫୯) ଓ ତାଙ୍କ ପୁଅ ଜେ. ବେନିକ୍ସ ଏହାକୁ ନ ମାନି ମୋବାଇଲ୍‌ ଦୋକାନ ଖୋଲିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଏହାସହ ହାଜତରେ ଦୁହିଁଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ବେନିକ୍ସଙ୍କୁ ୨୨ ତାରିଖରେ ରକ୍ତାକ୍ତ ଅବସ୍ଥାରେ କୋଭପଟ୍ଟି ହସ୍ପିଟାଲକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା। ପରଦିନ ବାପା ଜୟରାଜଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପାଇଁ ଦାୟୀ ୨ ସବ୍‌ ଇନ୍ସପେକ୍ଟର ବାଲାକ୍ରିଷ୍ଣନ୍‌ ଏବଂ ପି. ରଘୁଗଣେଶଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ହାଜତ ମୃତ୍ୟୁ ପାଇଁ ଏମ୍‌ଏନ୍‌ଏମ୍‌ ଅଧ୍ୟକ୍ଷ କମଲ ହାସନ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ରାଜନୀତି ଜୋର ଧରିବା ପରେ ରାଜ୍ୟ ସରକାର ବାଧ୍ୟହୋଇ ସିବିଆଇ ତଦନ୍ତ ସୁପାରିସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ମାଡ୍ରାସ ହାଇକୋର୍ଟଙ୍କୁ ଅବଗତ କରାଯିବ। ହାଇକୋର୍ଟଙ୍କ ଅନୁମୋଦନ ପରେ ସିବିଆଇକୁ ମାମଲା ହସ୍ତାନ୍ତର କରାଯିବ।

Share